ଭୁବନେଶ୍ୱର: କାଳବୈଶାଖୀ ଜନିତ ବର୍ଷା ଫଳରେ ରାଜ୍ୟରେ ଗତ ପ୍ରାୟ ସପ୍ତାହେ କାଳ ଧରି ଜାରି ଥିବା ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଶନିବାର ଅପରାହ୍ଣ ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

ଏଥିସହ ଏହି ସମୟ ମଧ୍ୟରେ ରାଜ୍ୟର ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେଥିପାଇଁ ଏହି ୧୨ଟି ଜିଲ୍ଲାକୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।