ସମଗ୍ର ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଆତଙ୍କିତ କରି ରଖିଥିବା ବେଳେ ରାଜ୍ୟର ଏହି ସମସ୍ତ ଜିଲ୍ଲା ପାଇଁ କାଳବୈଶାଖୀ ଆଲର୍ଟ ଜାରି

ଭୁବନେଶ୍ୱର: ଉପକୂଳ, କେନ୍ଦ୍ରୀୟ, ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଆତଙ୍କିତ କରି ରଖିଥିବା ବେଳେ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ପାଇଁ ଆଜି ଅପରାହ୍ଣରେ କାଳବୈଶାଖୀ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ।

ଏହି ସମସ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍‌ ଚିତ୍ର ଓ ଡପ୍‌ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ଅପରାହ୍ଣ ୪ଟା ପର ଠାରୁ ରାତି ୮ଟା ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ଘଣ୍ଟାପ୍ରତି ୩୦ର ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର