ତାତିର ଶଙ୍କା ଓ ସମ୍ଭାବ୍ୟ ବତ୍ୟାର ଆଶଙ୍କା ମଧ୍ୟରେ ଆଜି ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଜାରି ରହିବ ଗ୍ରାଷ୍ମପ୍ରବାହ

ଭୁବନେଶ୍ୱର: ଗୋଟିଏ ପଟେ ଭୀଷଣ ତାତିର ଶଙ୍କା ଓ ଅନ୍ୟପଟେ ଭୟଙ୍କର ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ରାଜ୍ୟବାସୀ ଏବେ ତ୍ରସ୍ତ। ହେଲେ, ଗତ ଶୁକ୍ରବାର ଠାରୁ ସମଗ୍ର ପଶ୍ଚିମ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ତାତି ଏମିତି ଅସହ୍ୟ ହେଲାଣି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି। ରାଜ୍ୟର ପଶ୍ଚିମ ଓଡ଼ିଶାରୁ  ଆରମ୍ଭ ହୋଇଥିବା ଗ୍ରାଷ୍ମପ୍ରବାହ ଏବେ କେନ୍ଦ୍ରୀୟ ଓଡ଼ିଶାକୁ ବି ନିଜ କବ୍‌ଜାକୁ ନେଇଗଲାଣି। ବଲାଙ୍ଗୀର, ଟିଟିଲାଗଡ଼ ପରେ ଅନୁଗୁଳ ଓ ତାଳଚେର ଏବେ ତତଲା କଡ଼େଇରେ ପରିଣତ ହୋଇଛି। ଲଗାତାର ଭାବେ ବଢ଼ି ଚାଲିଛି ତାପମାତ୍ରା। ତିନି ଦିନ ମଧ୍ୟରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ଯାଇଥିବାରୁ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ୧୦ଟା ପରେ ପରେ ଆକାଶରୁ ସତେ ଯେମିତି ନିଆଁ ବର୍ଷା ହେଉଛି। ଦିନରେ ପଦାକୁ ବାହାରି ହିଁ ପାରୁନାହାନ୍ତି ଲୋକେ। ଅର୍ଦ୍ଧାଧିକ ଓଡ଼ିଶାରେ ଏବେ ଏମିତି ସ୍ଥିତି ଲାଗି ରହିଛି।

ଏପରିସ୍ଥିତିରେ ରାଜ୍ୟର ଭଦ୍ରକ, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଜି ଅପରାହ୍ଣରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି। ତେବେ ଭୁବନେଶ୍ୱର ସମେତ ଉପକୂଳ  ଓଡ଼ିଶାରେ ୩୦ ତାରିଖ ଠାରୁ ତିନି ଦିନ ପାଇଁ ତାପମାତ୍ରା କ୍ରମଶଃ କମିବ। ମେ’ ୩ ଓ ୪ରେ ସମ୍ଭାବ୍ୟ ବାତ୍ୟା ‘ଫନି’ ଜନିତ ବର୍ଷା ଫଳରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ତଳକୁ ଖସିପାରେ ବୋଲି କହିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଦକ୍ଷିଣ, ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ଆଜି ରାତି ସୁଦ୍ଧା କାଳବୈଶାଖୀ ସମ୍ଭାବନା ରହିଥିବା ମଧ୍ୟ ଏହି ସତର୍କରେ କୁହାଯାଇଛି। ରାଜ୍ୟର ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନୟାଗଡ଼, ଢ଼େଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସାଟେଲାଇଟ୍‌ ଚିତ୍ର ଓ ଡପ୍‌ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ଆଜି ରାତି ମଧ୍ୟରେ ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ଘଣ୍ଟାପ୍ରତି ୩୦ର ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୬.୩୦ ଡିଗ୍ରି ସେଲସିୟସ୍‌ ତାଳଚେର ଠାରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୩.୦୦ ଡିଗ୍ରି ସେଲସିୟସ୍‌ ସୁନ୍ଦରଗଡ଼ ଠାରେ ରେକର୍ଡ କରା ଯାଇଥିଲା।

ସମ୍ବନ୍ଧିତ ଖବର