ବଙ୍ଗୋମୁଣ୍ତା ଓ ମୁରିବାହାଲରେ କାଳବୈଶାଖୀର ତାଣ୍ତବ: ଗଛ ପଡ଼ି ୬ଘଣ୍ଟା ମୁଖ୍ୟରାସ୍ତା ଅବରୋଧ, ୧୩ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଲା

କ୍ଷତିଗ୍ରସ୍ତ ସ୍ଥାନ ବୁଲିଦେଖିଲେ ବିଧାୟକ

କଂଟାବାଞ୍ଜି/ବଙ୍ଗୋମୁଣ୍ତା/ମୁରିବାହାଲ/ସିନ୍ଧେକେଲା : ବଙ୍ଗୋମୁଣ୍ତାରେ ସୋମବାର କାଳବୈଶାଖୀର ତାଣ୍ତବ ଦେଖିବାକୁ ମିଳିଛି। କାଳବୈଶାଖୀ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସୋମବାର ଦିନ ପ୍ରାୟ ୧.୩୦ ସମୟରେ ବହୁ ଜୋର୍‌ରେ ପବନ ସହ ବର୍ଷା ହେବାରୁ ବଙ୍ଗୋମୁଣ୍ତାରେ କ୍ଷତି ହୋଇଛି। ବଙ୍ଗୋମୁଣ୍ତାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାଇଛି। ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟରେ ରହୁଥିବା ଅଧିକାରୀମାନଙ୍କ ଘରେ ଗଛ ପଡ଼ି ଘର ଭାଙ୍ଗିଛି। ଷ୍ଟେଟବ୍ୟାଙ୍କ ପଛପଟେ ଥିବା ଦୀନ ପାଣିଗ୍ରାହୀଙ୍କ ଘରେ ଗଛ ପଡ଼ି ଘର ଭାଙ୍ଗିଛି। ସେହିପରି ଅନେକ ସ୍ଥାନରେ କାହାର କାର୍‌ ଉପରେ ଗଛ ପଡ଼ିଛି ତ କହାର ବାଇକ୍‌ରେ ଗଛ ପଡ଼ି ଚୂରମାର ହୋଇଯାଇଛି। ଏନ୍‌ଏଚ୍‌ ବାବା ସୋରୁମ ପାଖରେ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଫଳରେ ପ୍ରାୟ ୬ ଘଂଟା ରାସ୍ତା ଅବରୋଧ ରହିଥିଲା। ଘଟଣାସ୍ଥଳରେ ବଙ୍ଗୋମୁଣ୍ତା ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୬ ଘଂଟା ଗଛ କାଟିଲା ପରେ ରାସ୍ତା ସଫା ହୋଇଛି। ସେହିପରି ସହରର ମୁଖ୍ୟ ରାସ୍ତା ସହ ବିଭିନ୍ନ ପଡ଼ାରେ ୧୩ଟି ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି।

ବଙ୍ଗୋମୁଣ୍ତାରେ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଦୁଇଦିନ ଲାଗିଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ସେହିପରି ମୁରିବାହାଲ ବ୍ଲକ୍‌ର ପତ୍ରାପାଲି(କ), ଗଡ଼ଗଡ଼ବାହାଲ, ଗୋଇମୁଣ୍ତ ଓ ଟୁପାଉଡ଼ାର ପଂଚାୟତଗୁଡ଼ିକର ବିଭିନ୍ନ ଗାଁରେ ଗଛ ପଡ଼ି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଜାମୁଟ ଗାଁର ଏକ ବିପିଏଲ୍‌ ଟ୍ରାନ୍‌ସଫରମର୍ ଭାଙ୍ଗି ଚୂରମାର ହୋଇଯାଇଛି। ଏହି ଗାଁର ଦ୍ବାରସନୀ ମନ୍ଦିର ଛାତ ଉପରେ ଗଛ ପଡ଼ି ଭାଙ୍ଗିଯାଇଛି। ବଙ୍ଗୋମୁଣ୍ଡା ବ୍ଲକ୍‌ ବାଗବାହାଲ ବିଦ୍ୟୁତ ଗ୍ରିଡ ଅଞ୍ଚଳରେ ବି ବଡ଼ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ମଙ୍ଗଳବାର ସକାଳେ ସଜାଡ଼ିବା ପରେ ବିଦ୍ୟୁତ ଯୋଗାଇ ଦିଆଯାଇ ପାରିବ ବୋଲି ସିନ୍ଧେକେଲା କନିଷ୍ଠ ଯନ୍ତ୍ରୀ ଅରୁଣ ବାରିକ ସୂଚନା ଦେଇଛନ୍ତି। ଗଡ଼ଗଡ଼ବାହାଲ ଗାଁର ଦୋକାନୀ ହିମାଂଶୁ ହଂସଙ୍କ କିରାନା ଦୋକାନ ଉପରେ ଗଛ ପଡ଼ି ଭାଙ୍ଗି ଚୂରମାର ହୋଇଥିବା ଜଣାପଡ଼ିଛି। ଏନେଇ ଗାଁ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ କେହି ଆସିନଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ସ୍ଥାନମାନଙ୍କରେ ବିଭାଗୀୟ ଅଧିକାରୀ ପଂହଚି ସ୍ଥିତି ଅନୁଧ୍ୟାନ କରିବାକୁ ଦାବି ହୋଇଛି।

କ୍ଷତିଗ୍ରସ୍ତ ସ୍ଥାନ ବୁଲିଦେଖିଲେ ବିଧାୟକ
ଆଜିର ଏହି କାଳବୈଶାଖୀ ଯୋଗୁଁ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ଖବର ପାଇ କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ତା ଯାଇ ବୁଲି ଦେଖିଛନ୍ତି। ଅତିଶୀଘ୍ର କ୍ଷତିଗ୍ରସ୍ତ ପରିବାରମାନଙ୍କୁ କ୍ଷତିପୂରଣ ଦିଆଯିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ଘଟଣାସ୍ଥଳରୁ ଫୋନ ଯୋଗେ ଜଣାଇଥିଲେ। ତହସିଲଦାର ଏବଂ ପୂର୍ତ ବିଭାଗର ଅଧିକାରୀଙ୍କୁ ବିଧାୟକ ଅତିଶୀଘ୍ର ଏମାନଙ୍କର କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିବା ସହ ରାସ୍ତା ମାନଙ୍କରେ ପଡ଼ିରହିଥିବା ବିଦ୍ୟୁତ ଖୁଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର