ଭୁବନେଶ୍ବରରେ ତାଣ୍ଡବ ରଚିଲା କାଳବୈଶାଖୀ, ଝଡ଼ବର୍ଷା ପରେ ତାତିରୁ ତ୍ରାହିପାଇଲେ ଲୋକେ

ଭୁବନେଶ୍ବର: ରାଜଧାନୀରେ ଗୁରୁବାର ଅପରାହ୍‌ଣ ସାଢ଼େ ୪ଟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରାୟ ଅଧ ଘଣ୍ଟା ଯାଏଁ ପବନର ବେଗ ଲୋକଙ୍କୁ ଡାଇଛି। ବିଶେଷ ଭାବେ ରାସ୍ତାରେ ଯିବାଆସିବା କରୁଥିବା ଲେ‌ାକେ କାଳବୈଶାଖୀ ପବନକୁ ଡରି ଯାଇ ବାଧ୍ୟ ହୋଇ ନିରାପଦ ଆଶ୍ରୟ ସ୍ଥଳ ଖୋଜିଛନ୍ତି। କିଛି ସ୍ଥାନରେ ଗଛର ଡାଳଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି ସହ କିଛି ପରିମାଣରେ ବର୍ଷା ହୋଇଛି। ଏହି ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ମଧ୍ୟ ଦେଖିବାକୁ ମିଳିଛି। ତେବେ ପ୍ରବଳ ଖରାରେ ସିଝିଥିବା ରାଜଧାନୀବାସୀଙ୍କୁ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲୋକେ ତ୍ରାହିପାଇଛନ୍ତି। କେରଳରେ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବାରୁ ରାଜ୍ୟବାସୀ ମଧ୍ୟ ଏହାର ଆଗମନକୁ ଅପେକ୍ଷା କରିଛନ୍ତି।

ଆଜି ଯେତେ ଜୋରରେ ବର୍ଷା ହେଉଥିଲା, ସେତେ ଜୋର୍ ପବନ ବି ହେଉଥିଲା । ଆଉ ଠିକ୍ ଏହି ସମୟରେ ଭୁବନେଶ୍ୱର ରସୁଲଗଡ଼ ପାଣିଟାଙ୍କି ଉପରେ କାମ କରୁଥିବା ଶ୍ରମିକଙ୍କୁ ବହୁ କଷ୍ଟରେ ଜୀବନ ରକ୍ଷା କରୁଥିବା ଦେଖିବାକୁ ମିଳିଛି । ପ୍ରବଳ ବେଗରେ ପବନ ହେଉଥିବାରୁ ଜଣେ ଆଉ ଜଣଙ୍କ ହାତ ଧରି ପାଣିଟାଙ୍କି ଉପରେ ଠିଆ ହୋଇଥିଲେ।

ଅଚାନକ୍ ଠପ୍ ହୋଇଗଲା ସ୍ୱାଭାବିକ୍ ଜୀବନଯାତ୍ରା । ଯିଏ ଯେଉଁଠି ଥିଲେ ଅଟକି ଯାଇଥିଲେ । କାରଣ, ବର୍ଷା-ପବନ ମାଡ଼ରେ ଭାଙ୍ଗି ପଡୁଥିଲା, ଗଛର ଡାଳ । ଏଭଳି ଭୟଭୀତ ହୋଇ ଜଣେ କାର ଚାଳକ, କାରରୁ ବାହାରି ଆସି, ସୁରକ୍ଷିତ ସ୍ଥାନରେ ଅଟକି ରହିଥିଲେ ।ହେଲେ ଏସବୁ ଭିତରେ ବଡ଼ ବଡ଼ ଡାଳ ଭାଙ୍ଗିପଡ଼ିବାରୁ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱରର ରାଜମହଲ-ଏଜି ରାସ୍ତାରେ ଅନେକ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା । ରାସ୍ତାରୁ ଗଛ ପଡ଼ି ରହିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ଯୁବକମାନେ ଆସି ସଫା କରିଥିଲେ ।

ସମ୍ବନ୍ଧିତ ଖବର