୧୫ ଯାଏ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବ‌ନେଶ୍ବର : ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଲାଗିରହିବ। ୧୩ ତାରିଖ ପୂର୍ବାହ୍ନ ସୁଦ୍ଧା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଗଜପତି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନ‌ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ନେଇ ଆକଳନ କରାଯାଇଛି।

ଏହାର ପରବର୍ତୀ ୨୪ ଘଣ୍ଟା ମଧ୍ୟ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ୩୦ରୁ ୪୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ତେବେ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ୧୪ ତାରିଖ ସକାଳରୁ ୧୫ ତାରିଖ ପୂର୍ବାହ୍ନ ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତୀ ସମୟରେ ପାଗରେ ସାମାନ୍ୟ ପରିବର୍ତନ ଆସିବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ୧୩ ତାରିଖରେ ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ୧୫ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ। ଏହା ଆରମ୍ଭରେ ପଶ୍ଚିମ ଉପକୂଳ ଦୂରରେ ସମାନ୍ତରାଳରେ ଗତି କରିବ। କେତେକ ମଡେଲ୍‌ କହୁଛି ଯେ ଏହା ଗୁଜୁରାଟ ଆଡେ ମୁହାଁଇବାର ସମ୍ଭାବନା ରହିଛି। ତେବେ ମହାରାଷ୍ଟ୍ରରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଯଦି ଏଭଳି ହୁଏ ତେବେ ୧୮ ତାରିଖରେ ସ୍ଥଳ ଭାଗ ଛୁଇଁପାରେ। ଏହାଦ୍ବାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷା ହୋଇପାରେ। ‌ତେବେ ଲଘୁଚାପ ଅବପାତ ରୂପ ନେବା ପରେ ସଠିକ୍‌ ଭାବେ ପୂର୍ବାନୁମାନ କରାଯାଇ ପାରିବ। ତେବେ ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ରହିବ ନାହିଁ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ।

ସମ୍ବନ୍ଧିତ ଖବର