ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Advertisment

ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ କି ନାହିଁ ଏବଂ ଏହାର ଗତିପଥ କ’ଣ ରହିବ ସେନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ଦିଆଯାଇ ନାହିଁ। ତେବେ ୨୩ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ  ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପକୁ ନେଇ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ମଡେଲ୍‌ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ଓଡ଼ିଶା ଉପରେ ଛୋଟଧରଣର ବାତ୍ୟା ହେବା ନେଇ କେତେକ ସଂସ୍ଥା ଆକଳନ କରୁଥିବା ବେଳେ ଆଉ କିଛି ସଂସ୍ଥା ଓଡ଼ିଶା ଉପକୂଳରେ ଘସିହୋଇ ଯିବ ବୋଲି ପୂର୍ବାନୁମାନ କରିଛନ୍ତି। ହେଲେ ଏବେ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ନ ଥିବାରୁ ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ରହିବ? ଓଡ଼ିଶା କେତେ ପ୍ରଭାବିତ ହେବ? ସେନେଇ କେହି ଆକଳନ କରିପାରୁ ନାହାନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ଯେ ସୃଷ୍ଟି ହେବାକୁ ଥିବା ଲଘୁଚାପଟି ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଗଭୀର ଅବପାତ କିମ୍ବା ଏକ ଛୋଟ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ୨୨ ତାରିଖ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି। ସେପଟେ ଆସନ୍ତା ୫ ଦିନ ଯାଏ ଓଡ଼ିଶାରେ ବିଶେଷ ବର୍ଷା ନାହିଁ। କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ମାତ୍ର ଦିନ ସମୟରେ ତାପମାତ୍ରା ଅଧିକ ରହିବ। ଆଜି ଚାନ୍ଦବାଲିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୩୬.୫, ଜଗତ୍‌ସିଂହପୁରରେ ୩୬.୪, ଭୁବନେଶ୍ବରରେ ୩୫.୭, ବରଗଡ଼ରେ ୩୫.୬, ଟିଟିଲାଗଡ଼ ଓ ଭଦ୍ରକରେ ୩୫.୫, ପାରାଦୀପ, ହୀରାକୁଦରେ ୩୫.୨, ଅନୁଗୁଳରେ ୩୫.୧, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରି ଲେଖାଏଁ ରହିଥିଲା। ଗୋପାଳପୁର, ଭୁବନେଶ୍ବର, କେନ୍ଦୁଝର, ତାଳଚେର, ମାଲକାନଗିରି, ନୟାଗଡ଼, ପାରଳାଖେମୁଣ୍ଡି, ରାୟଗଡ଼ା, ଭଦ୍ରକ ଓ ନବରଙ୍ଗପୁରରେ ହାଲୁକା ବର୍ଷା ହୋଇଛି।