ଭୁବନେଶ୍ୱର: ଆଜି (ବୁଧବାର) ସକାଳ ୫.୩୦ ସମୟରେ ପାଣିପାଗ ତଥ୍ୟ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

publive-image

ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୫ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି।

publive-image

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଢ଼େଙ୍କାନାଳ, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ଏହି ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି।

ସେହିପରି ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, କଟକ, ଜଗତସିଂହପୁର, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ, ବୌଦ୍ଧ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

publive-image

ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।