କାଳବୈଶାଖୀ: ୮ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ତେବେ, ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ହେବାର ସମ୍ଭାବନା ରହଥିବାରୁ ଏହି ୮ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ଅନ୍ୟ ପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୪-୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଅଧିକା ରହିପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା/ ବଜ୍ରପାତର ସମ୍ଭାବନା ସହିତ ଆକାଶ ଆଂଶିକ ମେଘୁଆ ରହିବ। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ପ୍ରାୟ ୩୭ ଓ ୨୫ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ଅଛି।

ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ସେଲସିୟସ ବୌଦ୍ଧ ଠାରେ ରେକର୍ଡ କରାଯାଇଥିଲା ବେଳେ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ସେଲସିୟସ ଫୁଲବାଣୀରେ ରେକର୍ଡ କରା ଯାଇଥିଲା।

ସମ୍ବନ୍ଧିତ ଖବର