କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଠାରୁ ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୪ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ହେବାର ସମ୍ଭାବନା ରହଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୯ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ସେହିପରି ଜାରି ସତର୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଅନ୍ୟ ପକ୍ଷରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଅଧିକା ରହିପାରେ।

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ମୁଖ୍ୟତଃ ସ୍ୱଚ୍ଛ ରହିବା ସହ ଅପରାହ୍ନ/ ସନ୍ଧ୍ୟା ଆଡ଼କୁ ଆକାଶ ଆଂଶିକ ମେଘୁଆ ରହିବ। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ପ୍ରାୟ ୩୮ ଓ ୨୭ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ଅଛି।
ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ସେଲସିୟସ ବଲାଙ୍ଗୀର ଓ ସୋନପୁର ଠାରେ ରେକର୍ଡ କରାଯାଇଥିଲା ବେଳେ ଏବଂ ସର୍ବନିମ୍ନ ତାପମାତ୍ରା ୨୨.୮ଡିଗ୍ରି ସେଲସିୟସ କେନ୍ଦୁଝରରେ ରେକର୍ଡ କରା ଯାଇଥିଲା।

ସମ୍ବନ୍ଧିତ ଖବର