ପୁରୀ/ଗୋପ/ ରାମଚଣ୍ଡୀ: ବଜ୍ରପାତ ନେଇଛି ଜୀବନ। ଧାନତଳି ରୁଆ ଚାଲିଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଛନ୍ତି ଛଇତନାସ୍ଥିତ ଭୂଆଁ ଗ୍ରାମର କୁନ୍ତୀ ଭୋଇ (୫୫)। ତଳି ରୋଇବା କାମରେ ନିୟୋଜିତ ଅନ୍ୟ ୮ ଜଣ ମହିଳାଙ୍କ ସହ ଜମି ମାଲିକ ଛଇତନାର ବିକ୍ରମ ପାଣି ମଧ୍ୟ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସ୍‌ସିବି ଓ ଜମି ମାଲିକ ବିକ୍ରମ ପାଣିଙ୍କୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ସୋମବାର ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ମହିଳାମାନେ ବାଲିଘାଇସ୍ଥିତ ଏକ ଚାଷ ଜମିରେ ତଳି ରୋଇବା ପାଇଁ ମୂଲ ଲାଗିବାକୁ ଆସିଥିଲେ।

Advertisment

ସକାଳୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ତେଣୁ ବର୍ଷା ଘଡ଼ଘଡ଼ିରୁ ରକ୍ଷା ପାଇବାକୁ ବିଲରେ କାମ କରୁଥିବା ମହିଳାମାନେ ନିକଟସ୍ଥ ଏକ ଘର ମଧ୍ୟକୁ ଆସୁଥିଲେ। ତେବେ କୁନ୍ତୀ ଭୋଇ ବଜ୍ରାଘାତରୁ ନିଜକୁ ବଞ୍ଚାଇ ପାରିନଥିଲେ। ତାଙ୍କ ସହ କାମ କରୁଥିବା ଭୂଆଁ ଗ୍ରାମର ଟିକିଲି ଭୋଇ (୪୦), ବିନି ଭୋଇ (୩୫), କବିତା ଭୋଇ (୩୦), ଅନି ଭୋଇ (୫୭), ଗୀତା ଭୋଇ (୩୫), ରଶ୍ମିତା ଭୋଇ (୩୦), ଦୁଲେଇ ଭୋଇ (୪୦), ମାଳତୀ ଭୋଇ (୪୫) ପ୍ରମୁଖ ବଜ୍ରାଘାତରେ ଅଚେତ ହୋଇଯାଇଥିଲେ। ସମାଜସେବୀ ସୁଦାମ ସାହୁଙ୍କ ସମେତ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଟିକିଲି ଓ ବିନିଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।