୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୧ ତାରିଖ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୬ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏବଂ କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ। ଓଡିଶାର ବାକି ଜିଲ୍ଲାରେ ଶୁଖିଲା ପାଗ ରହିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା ୩ ଦିନ ମଧ୍ୟରେ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ୩ରୁ ୪ ଡିଗ୍ରି ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପରେ ପାଗରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ସମ୍ବନ୍ଧିତ ଖବର