୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୩ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଜପତି, ରାୟଗଡ଼ା, କନ୍ଧମାଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏବଂ କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ରାଜ୍ୟର ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଓଡିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରି ସେଲସିୟସ ହ୍ରାସ ହେବାର ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ୩-୪ ଦିନ ମଧ୍ୟରେ ଏହା ଧୀରେ ଧୀରେ ୨ରୁ ୪ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର