ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ତବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Advertisment

publive-image

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୧ ତାରିଖ, ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଗଜପତି ପ୍ରଭୃତି ୨୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ସମୟରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଏହି ୨୩ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

publive-image

ସେହିପରି ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

publive-image

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ଭୁବନେଶ୍ୱରର କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ଓ କଟକର କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ।

publive-image

ଅନ୍ୟପକ୍ଷରେ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡ଼ିଗ୍ରି ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକ ଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।