ପହିଲାରେ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷା

ଭୁବନେଶ୍ବର: ଅକ୍ଟୋବର ପହିଲା ବେଳକୁ ଉତ୍ତର-ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବ। ପ୍ରଭାବରେ ଓଡ଼ିଶା ପାଗରେ ପରିବର୍ତନ ଘଟିବ ଏବଂ ଉତ୍ତର ଉପକୂଳରେ ବର୍ଷା ପରିମାଣ ବଢ଼ିବ। ୨ ତାରିଖରୁ ବିସ୍ତୃତ ଭାବେ ବର୍ଷା ପରିମାଣ ବୃଦ୍ଧି ପାଇ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ପ୍ରଭାବିତ ହେବ। ସ୍ଥା‌ନେ ସ୍ଥ‌ାନେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ ଆକଳନ ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ମାତ୍ର ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ପହିଲାରୁ ପାଗରେ ପରିବର୍ତନ ଆସିବ। ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ପ୍ରଥମେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨ ତାରିଖଠାରୁ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତୀ ସମୟରେ ବର୍ଷା ପରିମାଣ ବଢ଼ିବାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, କୋରାପୁଟ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକ ରହିଛି। ଚଳିତ ମୌସୁମୀରେ ଏବେ ସୁଦ୍ଧା ୧୧୮୦.୧ ମିମି ବର୍ଷା ହୋଇଛି, ଯାହାକି ୪% ଅଧିକ।

ସମ୍ବନ୍ଧିତ ଖବର