ଝାରପଡ଼ା ଜେଲ୍‌ରେ ଟିଆଇ ପରେଡ୍ : ୨୨ ବର୍ଷ ପରେ ସାମ୍ନାସାମ୍ନି, ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ବର : ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ସହ ମୁହାଁମୁହିଁ ହେଲେ ପୀଡ଼ିତା। ଆଉ ତା’କୁ ଚିହ୍ନିଲେ ବି। ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଆଜି ଟିଆଇ(ଚିହ୍ନଟ) ପରେଡ୍ ହୋଇଛି। ଝାରପଡ଼ା ଜେଲ୍ ପରିସରରେ ହୋଇଥିବା ଏହି ଟିଆଇ ପରେଡ୍‌ରେ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳକୁ ଅଞ୍ଜନା ଚିହ୍ନଟ କରିଛନ୍ତି। ସେହିପରି ଘଟଣାଦିନ ଯେଉଁ କାର୍‌ରେ ଅଞ୍ଜନା ଯାଉଥିଲେ ସେହି ଗାଡ଼ିର ଡ୍ରାଇଭର ନୀଳକଣ୍ଠ ରାଉତ ମଧ୍ୟ ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି। ମାତ୍ର ୧୦ ମିନିଟରେ ହୋଇଥିବା ଏହି ଟିଆଇ ପରେଡ୍‌ରେ ଅଞ୍ଜନା ବିବନକୁ ଚିହ୍ନଟ କରିଥିଲେ। ଯାହା ମାମଲାର ଏକ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅଞ୍ଜନା ଜଣେ ସମ୍ପର୍କୀୟଙ୍କ ସହ ଏକ ଭଡ଼ା କାର୍‌ ଯୋଗେ ଝାରପଡ଼ା ଜେଲରେ ପହଞ୍ଚିଥିଲେ। କିଛି ସମୟ ପରେ ପହଞ୍ଚିଥିଲେ ଜେଏମ୍‌ଏଫ୍‌ସି ସୃଜାଲିନ ମହାନ୍ତି। ଏହାପରେ ଜେଲର ଏକ ହଲ୍‌ରେ ଟିଆଇ ପରେଡ୍‌ ପାଇଁ ଆୟୋଜନ କରାଯାଇଥିଲା। ବିବନ ସମେତ ୧୧ ଜଣଙ୍କୁ ଗୋଟିଏ ଧାଡ଼ିରେ ଛିଡା କରାଯାଇଥିଲା। ସେଠାରେ ମାଜିଷ୍ଟ୍ରେଟଙ୍କ ସହ ଜେଲ ଅଧୀକ୍ଷକ ଉପସ୍ଥିତ ଥିଲେ। ଧାଡ଼ିର ଜଣ ଜଣଙ୍କୁ ଦେଖିବା ପରେ ୭ ନମ୍ବରରେ ଛିଡ଼ା ହୋଇଥିବା ବିବନକୁ ଚିହ୍ନଟ କରିଥିଲେ ଅଞ୍ଜନା। ସମାନ ଭାବରେ ନୀଳକଣ୍ଠ ମଧ୍ୟ ବିବନକୁ ଚିହ୍ନଟ କରିଥିଲେ। କୋର୍ଟରେ ଶୁଣାଣି ସମୟରେ ଜେଲ୍ ଅଧିକାରୀ ସାକ୍ଷୀ ଦେବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି(ଗୁରୁବାର)ଠାରୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ। ସିବିଆଇ ତଦନ୍ତକାରୀ ଅଧିକାରୀଙ୍କ ସହ ଏକ ଟିମ୍ ବିବନକୁ ନେଇ ଘଟଣାସ୍ଥଳକୁ ନେବେ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇପାରେ। ବିବନକୁ ଧରି ତଦନ୍ତକାରୀ ଟିମ୍ ତା ଘରକୁ ମଧ୍ୟ ଯାଇପାରେ। ସେଠାରେ ବିବନ ସମ୍ପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିପାରେ। ଅପରାଧ ଘଟାଇବା ପରେ ବିବନ ଘରକୁ ଆସିଥିଲା କି? ପିନ୍ଧିଥିବା ପୋଷାକ ଲୁଚାଇ ଥିଲା କି? ତନାଘନା ଆରମ୍ଭ ହେବା ପରେ ବିବନ କେବେ ଫେରାର ହୋଇଥିଲା? ବିବନ ପରିବାର ସହ ଯୋଗାଯୋଗରେ ରହୁଥିଲା କି? ବିବନ ଫେରାର ହେବାରେ କାହାର ହାତ ରହିଛି କି? କିଏ ସହଯୋଗ କରିଥିଲା କି?ଏସବୁ ନେଇ ମଧ୍ୟ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ରିମାଣ୍ଡ ସମୟ ମଧ୍ୟରେ ବିବନର ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯିବ। ଆବଶ୍ୟକ ପଡ଼ିଲେ ବିବନକୁ ଆଉ ଥରେ ମଧ୍ୟ ରିମାଣ୍ଡରେ ଆଣିବା ଲାଗି ସିବିଆଇ ଆବେଦନ କରିବ।

ସମ୍ବନ୍ଧିତ ଖବର