ଚୌଦ୍ୱାର ଜେଲ୍‌ରେ ଟିଆଇ ପରେଡ୍‌

ମିକୁକୁ ଚିହ୍ନିଲେ ବିଜେନ୍‌ ପାଲ୍‌

କଟକ : ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକ ଆଜି ଟିଆଇ ପରେଡ୍‌ରେ ଚିହ୍ନଟ ହୋଇଛି। ଚୌଦ୍ୱାର ଜେଲ୍‌ ଭିତରେ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ଦିନ ପ୍ରାୟ ୨ଟାରୁ ସାଢେ ଦୁଇଟା ମଧ୍ୟରେ ହୋଇଥିବା ଏହି ଟିଆଇ ପରେଡ୍‌ରେ ବିଜେନ୍‌ ପାଲ୍‌ ମିକୁକୁ ଚିହ୍ନଟ କରିଛନ୍ତି। ଅନ୍ୟ ୧୦ ଜଣଙ୍କ ସହ ମିକୁ ଓରଫ୍‌ ମୃତ୍ୟୁଞ୍ଜୟକୁ ଗୋଟିଏ ଧାଡ଼ିରେ ଛିଡା କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ମିକୁକୁ ଖୁବ୍‌ ସହଜରେ ଚିହ୍ନି ଦେଇଥିଲେ ବିଜେନ୍‌। ଫେବ୍ରୁଆରି ୨୩ ତାରିଖ ରାତିରେ ମିକୁ ତାଙ୍କୁ ଘରୁ ଡାକିଥିଲା ଏବଂ ସେ ଘରୁ ବାହାରିଲା ବେଳକୁ ସେ ଗୁଳି ଚଳାଇଥିଲା ବୋଲି ବିଜେନ୍‌ କହିଥିଲେ।

ସୂଚନାଯୋଗ୍ୟ ଯେ ବିଜେନ୍‌ ପାଲଙ୍କୁ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗୁଳି ଚଳାଇ ହତ୍ୟା ଉଦ୍ୟମ ହୋଇଥିଲା। ଭୁବନେଶ୍ୱର ଝାରପଡା ଜେଲ୍‌ରେ ରହୁଥିବା ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ ମିକୁ ଓ ସଦା ନାୟକ ଘଟଣାସ୍ଥଳକୁ ଯାଇ ବିଜେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବିଜେନ ବାଲିଘାଟ ଲିଜ୍‌ ନେଇଥିବା ବେଳେ ଦାବି ମୁତାବକ ବଟି ନଦେବାରୁ ତାଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଜେନଙ୍କୁ ହତ୍ୟା କରିବାକୁ ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦେଶରେ କର୍ପୋରେଟର ରଂଜିତା ବିଶ୍ୱାଳ କୁନା ବେହେରା ଜରିଆରେ ୩ଟି ମାଉଜର ଓ ୫୫ ରାଉଣ୍ଡ ଗୁଳି ମିକୁ ଓ ସଦାଙ୍କୁ ଦେଇଥିଲେ। ମିକୁ ସେଦିନ ଗୁଳି ଚଳାଇଥିବା ବେଳେ ସଦା ବାଇକ୍‌ ଧରି ବାହାରେ ଅପେକ୍ଷା କରିଥିଲା। ଏହି ଘଟଣାରେ ପୁଲିସ ମିକୁ, ସଦା, ରଂଜିତା, କୁନାଙ୍କୁ ଗିରଫ କରିଛି।

ଅନ୍ୟପଟେ ରଂଜିତାଙ୍କ ପାଖକୁ ମାଉଜର, ଗୁଳି କେଉଁଠୁ ଆସିଥିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସେଥିପାଇଁ ତାଙ୍କୁ ରିମାଣ୍ଡରେ ନେବାକୁ ଆଜି ପୁଲିସ ପକ୍ଷରୁ ଅଦାଲତରେ ଆବେଦନ କରାଯାଇଛି।

ସମ୍ବନ୍ଧିତ ଖବର