ଚନ୍ଦ୍ରଗିରି: ଗଜପତି ଜିଲ୍ଲାର ଚନ୍ଦ୍ରଗିରି, ଟାଙ୍କିଲିପଦର, ଲବାରସିଂ, ଜିରାଙ୍ଗ ଓ ମହେନ୍ଦ୍ରଗଡ଼ଠାରେ ଅବସ୍ଥାପିତ ତିବ୍ଦତୀୟ ଶରଣାର୍ଥୀଙ୍କ ଏକମାତ୍ର ଜୀବିକା କହିଲେ ଚାଷ କାମ। ତେବେ ୧୯୬୩ ମସିହାରେ ଏଠାରେ ସେମାନଙ୍କ ପୁନଃବସତିର କିଛିବର୍ଷ ପରେ ଆର୍ଥିକ ସ୍ଥିତିକୁ ସୁଦୁଢ଼ କରିବା ପାଇଁ ବହୁମୁଖୀ ତିବ୍ବତୀୟ କୋ-ଅପରେଟିଭ୍ ସୋସାଇଟି ଗଠିତ ହୋଇଥିଲା। ସରକାରଙ୍କ ଦ୍ବାରା ଲିଜ୍ ସୁତ୍ରରେ ମିଳିଥିବା ଚାଷ ଜମିରେ ବିଭିନ୍ନ କିସମର ଚାଷ  ନିମନ୍ତେ ବିହନ, ସାର ଓ କମ୍‌ ସୁଧରେ ଟଙ୍କା ପ୍ରଦାନ କରିବା ଆଦି କାର୍ଯ୍ୟ ଏହି ସୋସାଇଟି କରୁଥିଲା। ହସ୍ତତନ୍ତ ହେଉଛି ତିବ୍ବତୀୟ କୋ-ଅପରେଟିଭ୍‌ ଶାଖାର ଆଉ ଏକ କାର୍ଯ୍ୟକ୍ରମ। ଏହି ସୋସାଇଟି ଜରିଆରେ ତିବ୍ବତୀୟ ମହିଳାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା କାପେର୍ଟ ବୁଣି ସ୍ବାବଲମ୍ବୀ ହେଉଥିଲେ। ଚାଷ କାମସହ  ଅନ୍ୟ ସମୟରେ ତିବ୍ବତୀୟ ମହିଳା କାର୍ପେଟ ବୁଣି ବେଶ୍‌ ରୋଜଗାର କରି ନିଜ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ କରିପାରି ଥିଲେ। ଏହାକୁ ଲକ୍ଷ୍ୟ କରି ୧୯୮୦ ମସିହାରେ ଶରଣାଥୀ କ୍ୟାମ୍ପ୍‌ ନଂ ୩(ଲବାରସିଂ) ଠାରେ ତିବ୍ବତୀୟ ହାଣ୍ତିକ୍ରାଫ୍ଟ ସେଣ୍ଟର ସ୍ଥାପନ ହୋଇଥିଲା।
Advertisment
ଏଠାରେ ତିବ୍ବତୀୟ ମହିଳା ପ୍ରଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ମିଳିଥିଲା। ପଞ୍ଜାବ ଓ ଦିଲ୍ଲୀରୁ କଞ୍ଚାମାଲ ଆଣି ମହିଳାଙ୍କୁ ଏହି ଅନୁଷ୍ଠାନ ଯୋଗାଇ ଦେବା ପରେ ସେମାନେ କାର୍ପେଟ ବୁଣିବା ପରେ ବିକ୍ରି ପାଇଁ ନେଉଥିଲେ। ଚନ୍ଦ୍ରଗିରି ଠାରେ ତିବ୍ବତୀୟଙ୍କ ଦ୍ବାରା ବୁଣା କାପେର୍ଟର ଚାହିଦା ସେତେବେଳେ ଭାରତର ବିଭିନ୍ନ ଅଂଚଳରେ ବୃଦ୍ଧି ପାଇଥିଲା। ଏହାକୁ ବିକ୍ରିକରି ଏଥିରୁ ସେମାନେ ଭଲ ଅର୍ଥ ରୋଜଗାର କରୁଥିଲେ। ଫଳରେ ଅଂଚଳର ମହିଳାମାନେ କାମ ପାଇବା ସହିତ ସ୍ବାବଲମ୍ବୀ ହୋଇଥିଲେ। ଦେଶ ଓ ଦେଶ ବାହାରେ ଏହାର ଚାହିଦା ବଢ଼ିବା ପରେ ଚନ୍ଦ୍ରଗିରି ଶରଣାର୍ଥୀ କ୍ୟାମ୍ପ୍‌ ନଂ–୧ରେ ଏହାର ଆଉ ଏକ ଶାଖା ସ୍ଥାପନ ହେଲା। ଏହି ଶାଖାରେ ପ୍ରଥମେ ୧୦ଜଣ ସ୍ଥାନୀୟ ମହିଳା ସମେତ ଅନ୍ୟ ୧୦  ତିବ୍ବତୀୟ ମହିଳାଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆ ଯାଇଥିଲା। କାର୍ପେଟ ଗୋଟିଏ ଧାଡ଼ି ପିଛା ୫ଟଙ୍କାରୁ ଆରମ୍ଭ ହୋଇ ନମୁନା ଉପରେ ନିର୍ଭର କରି ସର୍ବାଧିକ ୨୦ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରା ଯାଉଥିଲା। ଏହାପରେ ସୌରା ଉନ୍ନୟନ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ସହଯୋଗରେ କାର୍ପେଟ ବୁଣିବା ପାଇଁ ଏକ ତାଲିମ୍ ସେଣ୍ଟର୍‌ ଖୋଲା ଯାଇଥିଲା। ହେଲେ  କିଛି ବର୍ଷ ଏହି ତାଲିମ୍ ସେଣ୍ଟର ଚାଲିବା ପରେଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତାଲିମ୍ ସେଣ୍ଟର୍‌ର ସମସ୍ତ ସରଞ୍ଜାମ ଏବେ ନଷ୍ଟ ହୋଇଗଲାଣି। ଫଳରେ ତିବ୍ବତୀୟ ମହିଳା ରୋଜଗାର ହରାଇବା ସହ ନିଜ କର୍ମସଂସ୍ଥାନ ମଧ୍ୟ ହରାଇଛନ୍ତି।
publive-image
ତିବ୍ବତୀୟ କା‌ର୍ପେଟ ସେଣ୍ଟର୍‌ର ପୂର୍ବତନ ପରିଚାଳକ ଜାବ୍ବେଲ୍ ଧୁଣ୍ତୁପ୍ କହିବା ଅନୁସାରେ, ଆଦାୟ ଅନୁସାରେ ସ୍ଥାନୀୟ ଅଞ୍ଚଳରେ ବିକ୍ରି ପାଇଁ ବଜାର ନଥିବାରୁ  ଅନ୍ୟ ରାଜ୍ୟରେ ବିକ୍ରି କଲେ କ୍ଷତି ହେବା ସହିବାକୁ ପଡ଼ିଲା। ଅନ୍ୟପଟେ ରାଜ୍ୟବାହାରୁ ଆସୁଥିବା କଞ୍ଚାମାଲ୍‌ ଦରବୃଦ୍ଧି ସମସ୍ୟା ସହ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ଯୋଗୁ ସହିବା ଯୋଗୁଁ ହାଣ୍ତିକ୍ରାଫ୍ଟ ସେଣ୍ଟର୍‌ ବନ୍ଦ ହୋଇଯାଇଛି। ସେତେବେଳେ ଶିକ୍ଷା ପ୍ରଦାନ କରୁଥିବା ଦୁଇଜଣ ମହିଳା ପ୍ରଶିକ୍ଷିକାଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟଜଣେ ଛିରିଙ୍ଗ ଡୋଗା ଜୀବିତ ଅଛନ୍ତି। ତେବେ ଏହି ସଂସ୍ଥା ବନ୍ଦ ହେବା ଫଳରେ ୩୦ ବର୍ଷ ପୂର୍ବେ ହସ୍ତତନ୍ତ ମାଧ୍ୟମରେ ତିବ୍ବତୀୟ ଓ ଭାରତୀୟ ବୁଣା ଶୈଳୀକୁ ବଞ୍ଚାଇ ରଖିବାକୁ ହୋଇଥିବା ପ୍ରୟାସ ବିଫଳ ହୋଇଛି କହିଲେ ଚଳେ।
ସବୁଠୁ ବଡ଼ କଥା ହେଲା, ରାଜ୍ୟ ସରକାର ମିସନ୍‌ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ସମସ୍ତ ମହିଳାଙ୍କୁ ସମାଜର ମୂଖ୍ୟସ୍ରୋତକୁ ଆଣି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରୁଥିବା ବେଳେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଂଚଳରେ ୩୩ ବର୍ଷ ପୂର୍ବେ ମୁଣ୍ତ ଟେକିଥିବା ହାଣ୍ତିକ୍ରାଫ୍ଟ ସେଣ୍ଟର୍‌ ସଂପୂର୍ଣ୍ଣ ବନ୍ଦ ହେବା ପରିତାପର ବିଷୟ। ତେବେ ଜିଲ୍ଲା ପ୍ରଶାସନ ପୁଣି ଏହି ହାଣ୍ତିକ୍ରାଫ୍ଟ ସେଣ୍ଟର୍‌ର ପୁନରୁଦ୍ଧାର ପ୍ରତି ଧ୍ୟାନ ଦେଲେ ତିବ୍ବତୀୟ ମହିଳାଙ୍କ ସମେତ ସ୍ଥାନୀୟ ଆଦିବାସୀ ମହିଳାଙ୍କ ଆର୍ଥିକ ବିକାଶ ସହ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ଲୋପ ପାଇବାକୁ ବସିଥିବା ଏହି ତିବ୍ବତୀୟ ହସ୍ତତନ୍ତ ପରମ୍ପରା ଓ ଶୈଳୀକୁ ବଞ୍ଚାଇ ରଖିବାକୁ ପ୍ରଶାସନ ଉଦ୍ୟମ କରିବା ଆବଶ୍ୟକ ବୋଲି ଉଭୟ ସମ୍ପ୍ରଦାୟର ବୁଦ୍ଧିଜୀବୀ ମତ ଦେଇଛନ୍ତି।