ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟିକେଟ କାଟିବାକୁ ପଡ଼ିବ: ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ

ପୁରୀ: ସୋମବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଟିକେଟ କାଟିବାକୁ ପଡ଼ିବ। ଅର୍ଥାତ ଶ୍ରୀମନ୍ଦିର ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରାଯିବ ବୋଲି ଆୟୋଜିତ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ସହିତ ୬୦ ପ୍ରତିଶତ ଟିକେଟ ଅନ୍‌ଲାଇନ୍‌ରେ, ୩୫ ପ୍ରତିଶତ କାଉଣ୍ଟରରେ ମିଳିବ ଏବଂ ବାକି ଥିବା ୫ ପ୍ରତିଶତ ଟିକେଟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅବକାଶ, ବଲ୍ଲଭ, ମଧ୍ୟାହ୍ନ ଧୂପ ପରେ ଟିକେଟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଏଥିସହିତ ମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲଡ ସ୍କିମ୍‌ରେ ବ୍ୟାଙ୍କରେ ରହିବ। ତେବେ ଏହି ସୁନାକୁ ଲକରରେ ରଖିଲେ ସୁଧ ମିଳୁ ନ ଥିଲା। ସ୍କିମରେ ୨.୫ ପ୍ରତିଶତ ସୁଧ ମିଳିବ ବୋଲି ବୈଠକ ପରେ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଏଥିସହିତ ବ୍ରହ୍ମ ବିଭ୍ରାଟରେ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ନିଷ୍ପତ୍ତି ହୋଇଛି। ସେହିପରି ଗୋବର୍ଦ୍ଧନ ପୀଠ ପାଖରେ ମହାପ୍ରଭୁଙ୍କର ଯେଉଁ ଜମି ଅଛି ତାକୁ ଖୁବ୍‌ ଶୀଘ୍ର ହସ୍ତାନ୍ତର ପାଇଁ ବି ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର