ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ!

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ସହ ଆରମ୍ଭ ହୋଇଯାଇଛି ଟିକେଟ୍ ଲବି । ପୁଣି ଥରେ ଟିକେଟ୍ ପାଇବା ଆଶାରେ ନବୀନ ନିବାସରେ ଜମିଛି ନେତାଙ୍କ ଭିଡ । କିଏ ଲୋକସଭା ଟିକେଟ୍ ପାଇଁ ଲବି କରିଛି ତ ଆଉ କିଏ ମାଗିଛି ବିଧାନସଭା ଟିକେଟ୍ । କିଏ କିଏ ତ କହିଛି, ଯାହା ମିଳିଲେ ଚଳିବ, ଟିକେଟ୍ ଖଣ୍ଡିଏ ଦରକାର । ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବା ନେଇ ନବୀନଙ୍କ ଘୋଷଣା ପରେ ମହିଳା ନେତ୍ରୀଙ୍କ ମଧ୍ୟରେ ଟିକେଟ୍ ଆଶା ବଢିଯାଇଛି ।

ସୁପ୍ରିମୋଙ୍କ ଆଗରେ ନିଜ ନିର୍ବାଚନ ମଣ୍ଡଳୀରେ ୫ ବର୍ଷର ସଫଳତାର ହିସାବ ଦେଇଛନ୍ତି ନେତା । ପୁଣି କିଏ ମଜବୁତ୍ ସଂଗଠନ ଓ ଲୋକପ୍ରିୟତା ଆଧାରରେ ନିଶ୍ଚିତ ବିଜୟୀ ହେବାର ଦୃଢତା ଦେଖାଇ ଦ୍ୱିତୀୟ ଥର ସୁଯୋଗ ଦେବାକୁ ଲବି କରିଛି । ପ୍ରଥମ ଥର ପାଇଁ ସଂସଦ ଯିବାକୁ ମନ ବଳାଇଛନ୍ତି କିଛି ମହିଳା ନେତ୍ରୀ ।

ଆଉ ଏହାରି ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କାହାକୁ ଟିକେଟ୍ ମିଳିବ ? କିଏ ତାଲିକାରୁ କଟିବ ? ନୂଆ ମୁହଁ ଭାବେ ଏଥର କିଏ ହେବ ଉଭା ? ଟିକେଟ୍ ବାଂଟିବା ନେଇ ବିଜେଡି ଶିବିରରେ ଅଙ୍କ କଷା ଚାଲିଥିବା ବେଳେ ପୁଣି ଟିକେଟ୍ ପାଇବାକୁ ଆଶା ରଖିଛନ୍ତି ଅନେକ ନେତା । ନିଜ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ପ୍ରାର୍ଥୀ କରାଗଲେ ଅନ୍ୟ ଆସନରେ ଲଢିବାକୁ ବି କିଛି ନେତା ପ୍ରସ୍ତୁତ। ଗଣମାଧ୍ୟମରେ ନେତା ଯାହା ବି କୁହନ୍ତୁ ନା କାହିଁକି, ଟିକେଟ୍ ପାଇଁ କିନ୍ତୁ ଛାତି ଧଡପଡ ହେଲାଣି ।

ସେପଟେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାମ ଚାଲିଛି ଏବଂ ଖୁବ ଶିଘ୍ର ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଦଳ କଠିନ ପରିଶ୍ରମ କରୁଛି ଏବଂ ଆଗାମୀ ନିର୍ବାଚନରେ ପୁଣି ଥରେ ବିଜେଡି ସଫଳତା ହାସଲ କରିବ ବୋଲି ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

ସମ୍ବନ୍ଧିତ ଖବର