ବାହାନଗା/ସୋର: ବାହାନଗା ରେଳ ଦୁର୍ଘଟଣାର ୨୫ ଦିନ ପରେ ଗତକାଲିଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଥିବା ବେଳେ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଆଜି ୪ଟି ଟ୍ରେନ୍‌ ଷ୍ଟେସନ୍‌ରେ ରହିଥିବା ​େବ‌ଳେ ମୋଟ ୧୧୮୮ ଟଙ୍କାର ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ; ଦୁର୍ଘଟଣା ପରେ ମରାମତି କାମ ଜାରି ରହିଥିଲା। ଏପରି ସମୟରେ ତଦନ୍ତ ଓ ମରାମତି କାମରେ ବାଧା ନଉପୁଜିବା ପାଇଁ ବାହାନଗା ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ ରହୁ ନଥିଲା। ତେବେ ଏଇଭିତରେ କ୍ଷେତ୍ରୀୟ ତଦନ୍ତ ଏବଂ ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫଳରେ ଗତକାଲିଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି।

ସୂଚନାଥାଉକି, ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର ରେଳଷ୍ଟେସନ୍‌ରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶୋବନ୍ତପୁର-ହାୱାଡ଼ା ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ସହିତ ଧକ୍କା ହୋଇଥିଲା। ଫଳରେ ୨୯୨ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।