ରାଉରକେଲା: ଗତକାଲି ପ୍ରଥମ ତଥା ଉଦ୍‌ଘାଟନୀ ହକି ମ୍ୟାଚ୍‌ରେ ଦର୍ଶକରେ ଭରିଯାଇଥିଲା ଷ୍ଟାଡିୟମର ପୁରା ଗ୍ୟାଲେରି। ଆଜି କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ୫୦% ସିଟ୍‌ ଖାଲି ପଡିଥିଲା। ଦ୍ବିତୀୟ ମ୍ୟାଚ୍‌ରେ କିଛି ଦର୍ଶକ ବଢ଼ିଥିଲେ ହେଁ, ପାଖାପାଖି ୪୫% ସିଟ୍‌ ଖାଲି ପଡ଼ିଥିଲା। ଯଦି ମ୍ୟାଚ୍‌ ପାଇଁ ସମସ୍ତ ଟିକେଟ୍‌ ବିକ୍ରି ହୋଇଥିବା କଥା କୁହାଯାଉଛି, ଗ୍ୟାଲେରିରେ ଏତେ ସଂଖ୍ୟାରେ ସିଟ୍‌ କାହିଁକି ଖାଲି ପଡୁଛି ବୋଲି ଯୁବ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ହକି ଖେଳପ୍ରେମୀଙ୍କୁ ପାସ୍‌ କିମ୍ବା ଟିକେଟ୍‌ ନ ମିଳିବା, ହକି ବିଶ୍ବକପ୍‌କୁ ନେଇ ବିଜେଡିର ଶସ୍ତା ରାଜନୀତି ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Advertisment

publive-image

ବିକ୍ଷୋଭ ବେଳେ ପୁଲିସ ବହୁ କଂଗ୍ରେସ କର୍ମକର୍ତ୍ତାଙ୍କୁ ଗିରଫ କରିବା ପରେ ବ୍ୟକ୍ତିଗତ ମୁଚାଳିକାରେ ଛାଡି ଦିଆଯାଇଥିଲା। ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସଙ୍କ ନେତୃତ୍ବରେ ଯୁବ କଂଗ୍ରେସକର୍ମୀମାନେ ଆର୍‌ଏମ୍‌ସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହକି ବିଶ୍ବକପ୍‌କୁ ନେଇ ବିଜେଡି ହୀନ ରାଜନୀତି କରିବା ସହ ଟିକେଟ୍‌ରେ ବ୍ୟାପକ କଳାବଜାରୀ ହେଉଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଜିଲ୍ଲାବାସୀ ଏହାର ଠିକଣା ଜବାବ ଦେବେ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଛନ୍ତି। ବିକ୍ଷୋଭରେ ଯୁବ କଂଗ୍ରେସର ଉପସଭାପତି ଇସ୍ତେହାର ମହମ୍ମଦ, ସିଦ୍ଧେଶ୍ବର ମଲ୍ଲିକ, ସାଧାରଣ ସମ୍ପାଦକ ମୁକେଶ ସିଂହ, ସାକିର ରାଜାଙ୍କ ସହ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା କଂଗ୍ରେସର ଅନ୍ତରୀଣ ସଭାପତି ଦେବବ୍ରତ ବିହାରୀ, ଗଣେଶ ପ୍ରଧାନ, ରାମାନନ୍ଦ ଶ୍ରୀଚନ୍ଦନ, ରଶ୍ମିରଞ୍ଜନ ପାଢ଼ୀ, କୀର୍ତ୍ତନ ଦାସ ପ୍ରମୁଖ ସାମିଲ ହୋଇଥିଲେ।