କଟକ : ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍ ପାଇଁ ଗୁରୁବାରଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବ। ଷ୍ଟାଡିୟମ୍‌ର ପୁରୁଣ କାଉଣ୍ଟର ପାଖ ପାଚେରୀ ପାଖରେ ତିନୋଟି ଭ୍ରାମ୍ୟମାଣ ଷ୍ଟିଲ ବିଲ୍ଡିଂ ମାଧ୍ୟମରେ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ। ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ ୧୨,୦୯୩ ଟିକଟ ଉପଲବ୍ଧ ହେବ। ସେଥିରୁ ୧୩୬୨ ଦାମି ଟିକେଟ ଏବଂ ୧୦,୭୩୧ ଗ୍ୟାଲେରି ଟିକେଟ୍‌ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ଜଣାଇଛନ୍ତି।

Advertisment

ଟିକେଟ ବିକ୍ରି ପାଇଁ ଆସିଥିବା ତିନୋଟି ଷ୍ଟିଲ ବିଲ୍ଡିଂ ମଧ୍ୟରୁ ହର୍ଷ ଗେଟ୍‌ ପାଖରେ ଉଚ୍ଚ ଦରର ଟିକେଟ ବିକ୍ରି କରାଯିବ। ସ୍ପେଶାଲ ଏନ୍‌କ୍ଲୋଜର, ଏସି ବକ୍ସ, ନିଉ ପାଭିଲିଅନ ଟିକେଟ ଏଠାରେ ମିଳିବ। କର୍ପୋରେଟ ବକ୍ସର ଟିକେଟ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି। ବିଭିନ୍ନ କର୍ପୋରେଟ ହାଉସ ଟିକେଟକୁ ଅଗ୍ରୀମ କିଣିଥିବାରୁ କାଉଣ୍ଟରେ ଏହାକୁ ଛଡ଼ାଯାଉନଥିବା ଓସିଏ ସୂତ୍ରରୁ ଜଣାପଡ଼ଛି। ଅନ୍ୟପକ୍ଷରେ ପାଣି ଟାଙ୍କି ନିକଟରେ ୨ଟି ଷ୍ଟିଲ ବିଲ୍ଡିଂ‌େର ସାଧାରଣ ଟିକେଟ ବିକ୍ରି କରାଯିବ। ଏହି ୨ଟି ବିଲ୍ଡିଂରେ ୫ଟି ଲେଖାଏଁ କାଉଣ୍ଟର ଥିଲେ ହେଁ ୫ଟି କାଉଣ୍ଟର ଖୋଲାଯିବ। ଷ୍ଟାଡିୟମର ପୁରାତନ ୨ଟି ସ୍ଥାୟୀ କାଉଣ୍ଟରରେ ମହିଳାଙ୍କ ପାଇଁ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ୭ଟି କାଉଣ୍ଟରରେ କେବଳ ଗ୍ୟାଲେରି ଟିକେଟ ମିଳିବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟି‌େକଟ କିଣିପାରିବେ। ସରକାରୀ ପରିଚୟ ପତ୍ର ଦେଖାଇ ଦର୍ଶକ ଟିକେଟ କିଣିପାରିବେ ବୋଲି କୁହାଯାଇଛି।

publive-image

ଟିକଟ ବିକ୍ରିକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ଓ ସିଏମ୍‌ସି ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି। ପୁଲିସ୍‌ ପକ୍ଷରୁ କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଅତିରିକ୍ତ ଡିସିପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍‌ କ୍ଷମତା ପ୍ରଦାନ କରାଯାଇଛି। କାଉଣ୍ଟରରେ ସମସ୍ତ ଟିକଟ ବିକ୍ରି ତାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ। କାଉଣ୍ଟର ଭିତରେ ଓ ବାହାରେ ସିସି କ୍ୟାମେରା ଲଗାଯିବ। ସକାଳ ୬ଟାରୁ ଟିକଟ ପାଇଁ ବିଭିନ୍ନ କାଉଣ୍ଟରରେ ଭିଡ଼ ଆରମ୍ଭ ହେବ। ତେବେ ବୁଧବାର ରାତିରୁ କାଉଣ୍ଟର ପାଖରେ ଦର୍ଶକମାନେ ଭିଡ଼ ଜମାଇଥାନ୍ତି। ତେଣୁ ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି। ଟି‌କଟ ବିକ୍ରି ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ଏହା ଉପରେ ବିଶେଷ ଗୁରୁତ୍ବ ଦିଆ ଯାଉଥିବା ଡିସିପି ପିନାକ ମିଶ୍ର କହିଛନ୍ତି। ସେହିପରି ସିଏମ୍‌ସି ପକ୍ଷରୁ କାଉଣ୍ଟର ବାହାରେ ୮ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଉଛି। ଦର୍ଶକମାନେ ପ୍ରବଳ ଖରାରେ ଆସୁଥିବାରୁ ସେମାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେବା ପାଇଁ ମେଡିକାଲ ଟିମ୍‌ ନିୟୋଜିତ ହେବେ ବୋଲି ସୂଚନା ମିଳିଛି।