ଜଗତସିଂହପୁର/ବାଲିକୁଦା: ଯେତେବେଳେ ମଣିଷ ଆଗକୁ ଯିବାକୁ ଚାହୁଁଛି, ଦେଶ ଅର୍ଥନୀତିରେ ଆଗୁଆ ହେବାକୁ ଚାହୁଁଛି ସେତେବେଳେ ପରିବେଶ ପ୍ରତି ଅତି ବିପଦ ଥିବା କଳ କାରଖାନା ପ୍ରତିଷ୍ଠା ହେଉଛି। ସରକାର ମୁଖ୍ୟମନ୍ତ୍ରୀ ଲୁଣା ଘେରିବନ୍ଧ ଯୋଜନା କରି ୭୫୬ କୋଟି ଟଙ୍କା ଖର୍ଚ୍ଚ କଲେ। ଏଥିରେ ୧୮୦ କିଲୋମିଟର ଉପକୂଳ ସାମିଲ ହେଲା। କିନ୍ତୁ ଜଗତସିଂହପୁର ଜିଲ୍ଲା ବାଦ୍ ପଡ଼ିଥିଲା। ଏ ନେଇ ବିଧାନସଭାରେ ଦୃଢ଼ ପ୍ରତିବାଦ କରିବା ପରେ ସରକାର ତତ୍ପରତା ଦେଖାଇଥିଲେ। କାଠଗଡ଼ି ଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ଲୁଣା ଘେରିବନ୍ଧ ନିର୍ମାଣ କରିବା ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟରେ ଦାଖଲ କରାଯାଇଛି ବୋଲି କହିଛନ୍ତି ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା।
ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବାଲିକୁଦା ବ୍ଲକ ଅନ୍ତର୍ଗତ ଦଶବାଟିଆର ବରମୁଣ୍ଡଳୀ ପଞ୍ଚାୟତ ଦୁର୍ଗାପଡ଼ିଆ ଠାରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ ବୈଠକରେ ବିଧାୟକ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଜୁଆର ପ୍ରତିରୋଧ ବନ୍ଧ ଓ ଲୁଣା ଘେରିବନ୍ଧ ହିଁ ସମୁଦ୍ର ଉପକୂଳ ଜନବସତି ଅଞ୍ଚଳକୁ ସୁରକ୍ଷା ଦେଇପାରିବ। ଏରସମାର ଗଡ଼ହରିଶପୁର ପୂର୍ବ ଠାରୁ ରାମତରା ପର୍ଯ୍ୟନ୍ତ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଏ ନେଇ ଲଗାତାର ପ୍ରତିବାଦ କରିବାରୁ ଜୁଆର ପ୍ରତିରୋଧ ବନ୍ଧ ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଉଛି।
ବିଧାୟକ କହିଥିଲେ, ଓସେନ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ଭେ କରାଯାଇ ଗଡ଼ହରିଶପୁର-ରାମତରା ବେଳାଭୂମିରେ ୧ଲକ୍ଷ କ୍ୟୁବିକ୍ ମିଟର୍ ବାଲି ଫିଲିଂ ପାଇଁ ପରାମର୍ଶ ଦେଇଥିଲେ। ସରକାରଙ୍କର ଯେତିକି କର୍ତ୍ତବ୍ୟ ଆମର ମଧ୍ୟ ପରିବେଶ ସୁରକ୍ଷା ସେତିକି କର୍ତ୍ତବ୍ୟ। କାରଣ ଲୋକମାନେ ବେଳାଭୂମିରୁ ଜଙ୍ଗଲ କାଟି ନେଉଛନ୍ତି। ଲୁଣା ଜଙ୍ଗଲ ନଷ୍ଟ ପାଇଁ ଲୁଣା ପାଣି ମାଡ଼ୁଛି। ଲୋକେ ଚାହୁଁଛନ୍ତି ବାଡ଼ିକୁ ଲୁଣା ପାଣି ମାଡ଼ି ଆସିଲେ ଆମେ ଚିଙ୍ଗୁଡ଼ି ଚାଷ କରି ଭଲ ରୋଜଗାର କରିବୁ। ଆମେ ସବୁବେଳେ ଆମ କଥା ଚିନ୍ତା କରୁଛୁ, ପରିବେଶ ସୁରକ୍ଷାକୁ ଭୁଲି ଯାଉଛନ୍ତି। ‘ସମ୍ବାଦ’ର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମକୁ ବିଧାୟକ ପ୍ରଶଂସା କରିଥିଲେ। ଅନ୍ୟ ଉପସ୍ଥିତ ଅତିଥିମାନେ ପରିବେଶ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ ଓ ବିଭିନ୍ନ ସମସ୍ୟା ଉପରେ ପ୍ରସ୍ତାବ ରଖିଥିଲେ।
କଟକ ସଂସ୍କରଣ ମୁଖ୍ୟ ଡିଜିଏମ୍(ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ବାଲିକୁଦା-ଏରସମା ଅଞ୍ଚଳର ପରିବେଶ ସଂକ୍ରାନ୍ତୀୟ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ ସହ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ର ବାଲିକୁଦା ବ୍ଲକ ପ୍ରତିନିଧି ପ୍ରଣବ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ଓ କନକ ନ୍ୟୁଜ୍ର ଜିଲ୍ଲା ପ୍ରତିନିଧି ରମାକାନ୍ତ ଦାଶ ସହଯୋଗ କରିଥିଲେ। ପରିବେଶବିତ୍ ସନ୍ତୋଷ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/15/sfhfshfh-2025-08-15-02-23-35.jpg)