କନ୍ଧମାଳରେ ଉପସ୍ଥିତ ଜାହିର୍‌ କଲେ ମାଓବାଦୀ : ଭୂଇଁ ତଳୁ ଟିଫିନ୍‌ ବୋମା ଠାବ

ଫୁଲବାଣୀ : କନ୍ଧମାଳରେ ଦୁର୍ଗମ ଅଞ୍ଚଳରେ ମାଓବାଦୀ ମେଳି ହେଉଛନ୍ତିି। ହମଲା ପାଇଁ ବ୍ଲୁପ୍ରିଣ୍ଡ ପ୍ରସ୍ତୁତ କରୁଛନ୍ତି। ଏଭଳି ଆଶଙ୍କା ସତ ହୋଇଛି। ଫୁଲବାଣୀ-ଗୋଛାପଡା ରାସ୍ତା ନମରେବାଲି ନିକଟରେ ବିସ୍ଫୋରଣ ପାଇଁ ରାସ୍ତାରେ ଖଞ୍ଜା ଯାଇଥିବା ଟିଫିନ୍‌ ବୋମାକୁ ଠାବ କରାଯାଇଛି। ପରେ ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ଏହାକୁ ବିସ୍ଫୋରଣ କରି ନଷ୍ଟ କରି ଦିଆଯାଇଛି। ଏହା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ଜାହିର ଥିବା ସ୍ପଷ୍ଟ ହୋଇଛି। ମାଓବାଦୀ ହମଲା କରିବା ନିମନ୍ତେ ଏହି ଯୋଜନା କରିଥିଲେ ବୋଲି ଏସପି ପ୍ରତୀକ ସିଂ କହିଛନ୍ତି । ତେଣୁ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିପାଇଁ ମାଓବାଦୀଙ୍କୁ ଉଚିତ କଡା ଜବାବ ଦିଆଯିବ ବୋଲି ମଧ୍ୟ ଏସ୍‌ପି କହିଛନ୍ତିି।

ଗତ ୨୫ ତାରିଖରେ ମାଓବାଦୀ ବନ୍ଦ ଡାକରା ଦେଇଥିଲେ। କନ୍ଧମାଳର ବିଭିିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିବା ସହ ବଡ ବଡ ଗଛ କାଟି ରାସ୍ତାରେ ପକାଇ ଦେଇଥିଲେ। ଫୁଲବାଣୀ-ଗୋଛାପଡା ରାସ୍ତା ନମରେବାଲି ଘାଟି ରାସ୍ତା ବଡବଡ ଗଛ ପକା ଯାଇଥିବାରୁ ଯାତାୟତ ବନ୍ଦ ରହିଥିଲା। ଯାନବାହାନ ଚଳାଚଳ ବି ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିଲା। ଅପରାହ୍ନରେ ପୁଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଲାଗି ପଡିଥିଲେ। ଗଛ ହଟାଇବା ଉଦ୍ୟମ ସମୟରେ ସାମାନ୍ୟ ବିସ୍ଫୋରଣ ହୋଇଥିଲା। ଏଥିରେ ଭୟଭୀତ ହୋଇ ସମସ୍ତେ ସେଠାରୁ ଦୌଡି ପଳାଇ ଆସିଥିଲେ। ସେହି ସ୍ଥାନରେ ମାଓବାଦୀ ଲ୍ୟାଣ୍ଡମାଇନ କିମ୍ବା ଟିଫିନ ବୋମା ଖଞ୍ଜି ଥିବା ସନ୍ଦେହ କରାଯାଉଥିଲା। ପୁଲିସ ବି ଏହାକୁ ସ୍ୱୀକାର କରିଥିଲା। ଏହାକୁ ଆଧାର କରି ଆଜି ପୁଲିସ ଓ ସିଆପିଏଫ ଟିମ୍‌ ସନ୍ଧାନୀ କୁକୁର ନେଇ ସେଠାରେ ପହଞ୍ଚିଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଥିଲେ। ପ୍ରଥମେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ସେହି ରାସ୍ତାକୁ ସିଲ କରି ଦିଆଯାଇଥିଲା। ଶେଷରେ ରାସ୍ତା ଖୋଳା ଯିବା ପରେ ଟିଫିନ ବୋମା ଠାବ କରାଯାଇଥିଲା। ପରେ ଏହାକୁ ବିସ୍ଫୋରଣ କରି ନଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର