ବାରିପଦା: ବାଘଶୂନ୍ୟ ହୋଇଯିବ କି ଶିମିଳିପାଳ? ବର୍ଷକ ମଧ୍ୟରେ ଏଠାରେ ତିନୋଟି ବାଘ ଶିକାର ଘଟଣା ସାମନାକୁ ଆସିଲାଣି। ଆଉ କେତେ ବାଘଙ୍କ ଜୀବନ ଯେ ଶିକାରୀଙ୍କ ଗୁଳିରେ ଯାଇଥିବ ତାହାର ହିସାବ ନାହିଁ। ବନ ବିଭାଗ ବାଘ ଚମଡ଼ା ଜବତ କରିବା ପରେ ଏହା ସ୍ପଷ୍ଟ ହେଉଛି। ଏବେ ବିରଳ କଳାବାଘକୁ ହତ୍ୟା ଘଟଣା ପଦାକୁ ଆସିବା ପରେ ଶିମିଳିପାଳରେ ବାଘବଂଶ ସୁରକ୍ଷିତ ନଥିବା ପ୍ରମାଣିତ ହୋଇଛି। ପରିବେଶବିତ୍‌ମାନେ ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Advertisment

ହସ୍ତଗତ ତଥ୍ୟ ଅନୁସାରେ, ୨୦୨୩ ଜାନୁଆରିରୁ ଅଦ୍ୟାବଧି ୧୨୦ ଜଣ ଶିକାରୀ ଗିରଫ ହୋଇଛନ୍ତି। ୪୦ରୁ ଅଧିକ ଦେଶୀ ବନ୍ଧୁକ ଓ ୪୦୦ରୁ ଅଧିକ ଧନୁତୀର ଜବତ ହୋଇଛି। ଏହାସହ ୧୦ ଜଣ ହାର୍ଡକୋର୍‌ ଶିକ‌ାରୀଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ପରିବେଶବିତ୍‌ଙ୍କ ମତରେ ଏତେ ସଂଖ୍ୟକ ଶିକାରୀ ଗିରଫ ହେବା ଶିମିଳିପାଳରେ ଶିକାରୀମାନଙ୍କ ସକ୍ରିୟତାକୁ ସୂଚାଉଛି। ଆହୁରି ମଧ୍ୟ ସ୍ପଷ୍ଟ ଯେ ଶିମିଳିପାଳରେ ଶିକାରୀଙ୍କ ପ୍ରବେଶକୁ ବନ ବିଭାଗ ସମ୍ପୂର୍ଣ୍ଣ ରୋକିବାରେ ସମର୍ଥ ହୋଇନି। ଅତ୍ୟାଧୁନିକ ଏଆଇ କ୍ୟାମେରା ଓ ଟ୍ରାପ୍‌ କ୍ୟାମେରା ଲାଗିଥିଲେ ମଧ୍ୟ ଶିକାରୀମାନେ ଭୃକ୍ଷେପ କରୁନାହାନ୍ତି।

ଏବେ ବିରଳ କଳାବାଘଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ୨୦୨୩ ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ପ୍ରାପ୍ତବୟସ୍କ ମହାବଳ ଓ ୧୨ଟି ଶାବକ ମହାବଳ ବାଘ ଅଛନ୍ତି। ସେଥିମଧ୍ୟରୁ ୧୬ଟି କଳା ମହାବଳ ବାଘ (ମିଲେନାଷ୍ଟିକ୍) ରହିଛନ୍ତି। ତେବେ, ଶିମିଳିପାଳରେ ଶିକାର ରୋକିବା ପାଇଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରାଯାଉଥିବା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ବାଘ ଚମଡ଼ା ଶିମିଳିପାଳ ବାହାର ଅଞ୍ଚଳରୁ ଜବତ ହେଉଥିବା ବେଳେ ବର୍ତ୍ତମାନ ଏଆଇ କ୍ୟାମେରା ମାଧ୍ୟମରେ ଶିକାରୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଉଛି। ଯେଉଁମାନେ ଖସିଯାଉଛନ୍ତି କିଛିଦିନ ମଧ୍ୟରେ ଶିମିଳିପାଳର ଗୋଇନ୍ଦା ଦଳ ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ସକ୍ଷମ ହେଉଛି। ତେବେ ଆଗାମୀ ୨ ବର୍ଷ ମଧ୍ୟରେ ଏଆଇ କ୍ୟାମେରା ଜରିଆରେ ଶିମିଳିପାଳକୁ ସମ୍ପୂର୍ଣ୍ଣ ଭାବେ ଶିକାରୀମୁକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି।

ବର୍ଷକରେ ସାମନାକୁ ଆସିଛି ୩ ବାଘ ଶିକାର ଘଟଣା
୨ବର୍ଷରେ ୧୨୦ଜଣ ଶିକାରୀ ଗିରଫ
ଶିକାରୀ ସକ୍ରିୟ, ବନ କର୍ମଚାରୀ ନିଷ୍କ୍ରିୟ!

ଶିମିଳିପାଳ ପାଇଁ ଶୂନ୍ୟ ସହନଶୀଳତା, ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ହୋଇଛି: ଡିଆଇଜି

ବାଲେଶ୍ବର: ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ଅଭୟାଣ୍ୟରେ ଶିକାରୀମାନଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ପୁଲିସ ଫ୍ଲାଗ୍‌ମାର୍ଚ୍ଚ କରିବା‌ ସହ ବନ ବିଭାଗ କର୍ମଚାରୀଙ୍କ ସାଙ୍ଗରେ ଯାଇ ପାଟ୍ରୋଲିଂ କରିବେ। ବିଶେଷକରି ଦେଶୀ ବନ୍ଧୁକଗୁଡ଼ିକୁ ଜବତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଚଢ଼ଉ କରାଯିବ। ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ ବୋଲି ଆଜି ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।   

ଡିଆଇଜି ଡ. ନାଏକଙ୍କ ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ପୁଲିସ ସହ ଏପିଆର୍‌ ଫୋର୍ସକୁ ନିୟୋଜିତ କରାଯାଇଛି। ସେହିପରି ଶିକାରୀମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ୫୦ ଜଣ ପୁଲିସ ଓ ୪୦ ଜଣ ବନ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ବନ୍ଧୁକ ଚାଳନା ତାଲିମ ଦିଆଯାଇଛି। ଏହାଛଡ଼ା ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଓ ଟ୍ରାପ୍‌ କ୍ୟାମେରା ଲଗାଯାଇଛି; ଯାହାକି ଶିକାରୀ ଓ ଜୀବଜନ୍ତୁମାନଙ୍କୁ ନିରୀକ୍ଷଣ କରିବାରେ ସହାୟକ ହେଉଛି। ଏପରିକି ଜଙ୍ଗଲ ମଧ୍ୟରେ ସେଭଳି କିଛି ଘଟଣା ଘଟିଲେ ବନ ବିଭାଗର ନିର୍ଦ୍ଦେଶରେ ତାଲିମପ୍ରାପ୍ତ ପୁଲିସ ଓ ବନ କର୍ମଚାରୀମାନେ ଗୁଳିଚାଳନା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଡିଆଇଜି କହିଛନ୍ତି।