ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଆତଙ୍କ : ୨ ଛେଳି ମୃତ, ୪ ନିଖୋଜ

ଗୁଣ୍ଡୁରିବାଡ଼ି ଗାଁରେ ପଶିଲା ବାଘ! ରାତିସାରା ଗ୍ରାମବାସୀଙ୍କ ପଇଁତରା

ଜଗନ୍ନାଥପ୍ରସାଦ/ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡରେ ପୁଣି ଦେଖାଦେଇଛି ବାଘ ଆତଙ୍କ। ଗତକାଲି ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ତେନ୍ତୁଳିଆଶାସନ ଗ୍ରାମରୁ ହଠାତ୍ ୨ଟି ଛେଳିର କ୍ଷତାକ୍ତ ଶବ ଉଦ୍ଧାର ହୋଇଥିବା ବେ‌େଳ‌ ଗୋଟିଏ ଗୁରୁତର ହୋଇଛି। ୪ଟି ଛେଳି ଛୁଆ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଏହି ଘଟଣା ପ୍ରଘଟ ହେବା କ୍ଷଣି ଜଗନ୍ନାଥପ୍ରସାଦ ବନାଞ୍ଚଳର କର୍ମଚାରୀମାନେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ତେବେ ଛେଳିକୁ ବାଘ ମାରିଛି ନା ଅନ୍ୟ କୌଣସି ହିଂସ୍ରଜନ୍ତୁ ଆକ୍ରମଣ କରିଛି ଏ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ତଥାପି ଏହା କଲରାପତରିଆ ବାଘର କାମ ହୋଇଥାଇପାରେ ବୋଲି ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି।

ତେନ୍ତୁଳିଆଶାସନ ଗାଁର ‌ଶେଷ ମୁଣ୍ଡରେ ସନ୍ନ୍ୟାସୀ ଗୌଡ଼ ଗୋଟିଏ ଗୁହାଳ କରି ୨୩ଟି ବଡ଼ ଛେଳି ଓ ୭ଟି ଛୁଆ ଛେଳି ରଖିଛନ୍ତି। ଆଜି ପାହାନ୍ତାରୁ ହଠାତ୍ ସେ ଛେଳିଙ୍କ ରଡ଼ି ଶୁଣି ଗୁହାଳକୁ ଦୌଡ଼ି ଆସିଥିଲେ। ସେଠାରେ ଦୁଇଟି ଛେଳି ଛୁଆର ଶବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେ‌େଳ‌ ୪ଟି ନିଖୋଜ ଥିଲେ। ପରେ ଜଗନ୍ନାଥପ୍ରସାଦ ବନାଞ୍ଚଳର ବନପାଳ ଓ ବନରକ୍ଷୀ ପହଞ୍ଚି ଅନୁଧ୍ୟାନ କରିଥିଲେ। ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ କହିଛନ୍ତି, ବନାଞ୍ଚଳ ଅଧୀନ ଗୁଣ୍ଡୁରିବାଡ଼ି ଅଞ୍ଚଳରେ କିଛି ଦିନ ତଳେ କଲରାପତରିଆ ବାଘର ପାଦଚିହ୍ନ ଠାବ କରାଯାଇଥିଲା। ଏଥିପାଇଁ ଗୁଣ୍ଡୁରିବାଡ଼ି, ତାମନାଡ଼, ବରକୋଳିଆ, ତରଫ, ବରଗାଁ ଓ ଲଣ୍ଡେଇ ପାହାଡ଼ ଅଞ୍ଚଳବାସୀଙ୍କୁ ସତର୍କତା ଜାରି କରାଯାଇଥିଲା। ତେବେ ଗତକାଲି କଲରାପତରିଆ ବାଘ ନୁ‌ହେଁ, ଅନ୍ୟ କୌଣସି ହିଂସ୍ରଜନ୍ତୁ ଛେଳିଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ତଥାପି ତଦନ୍ତ ଜାରି ରହିଛି। ଚୟନ ହୋଇଥିବା ଗାଁର ଦୁଇଟି ସ୍ଥାନରେ ଟ୍ରାପ୍ କ୍ୟାମେରା ଲାଗିବ। ସେହିପରି ଜଙ୍ଗଲ ଆଡ଼କୁ ନ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି।

ଗୁଣ୍ଡୁରିବାଡ଼ି ଗାଁରେ ପଶିଲା ବାଘ! ରାତିସାରା ଗ୍ରାମବାସୀଙ୍କ ପଇଁତରା

ପ୍ରତାପୁର : ଉତ୍ତରଘୁମୁସର ବନାଞ୍ଚଳ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡ଼ି ଗ୍ରାମରେ ଆଜି ରାତିରେ ଏକ ବାଘ ପଶିଥିବା ଚର୍ଚ୍ଚା ହେଉଛି। ଛେଳି ଗୁହାଳ ଆଡ଼କୁ ବାଘ ଯାଉଥିବା ନେଇ ବିନୋଦିନୀ ପ୍ରଧାନ, ରେଣୁକା ତାରିଣୀ, ଶାନ୍ତିଲତା ଜେନା ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ଦେଖିଥିଲେ। ସେମାନେ ପାଟି କରିବାରୁ ଗ୍ରାମବାସୀ ଏକାଠି ହୋଇଥିଲେ। ବାଘଟି ‌ଗୁହାଳ ପଛପଟ ଡେଇଁ ପଳାଇଥିବା ଜଣାପଡ଼ିଛି। ଏହା ସହ ବାଘର ପାଦଚିହ୍ନ ବି ଦେଖିବାକୁ ମିଳିଛି। ଏହାକୁ ନେଇ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମବାସୀ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ରାତି ସାରା ପଇଁତରା ମାରୁଛନ୍ତି। ଏକ ବିଚିତ୍ର ଗନ୍ଧ ବାହାରୁଥିବାରୁ ଆଖପାଖ ଇଲାକାରେ ବାଘ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର