ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ବେଲରଦନା ଓ ସିରିଲି ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଶନିବାର ରାତିରେ କଲରାପତରିଆ ବାଘ ଗୁହାଳରୁ ୨ ବାଛୁରୀକୁ ଟାଣି ନେଇ ଖାଇଦେଇଛି। ବେଲରଦନା ଗାଁର ଅର୍ଜୁନ ଧରୁଆ ବାଛୁରିକୁ ଗୁହାଳରେ ବାନ୍ଧି ରଖିଥିଲେ। ରବିବାର ସକାଳୁ ଉଠି ଦେଖିବା ପରେ ଗୋଟିଏ ବାଛୁରି ନଥିଲା। ପରିବାର ଲୋକ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବାଛୁରିର ମୃତଦେହ ପଡ଼ିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ବାଛୁରିକୁ ବାଘ ମାରିଥିବା ଗାଁ ଲୋକେ ଅନୁମାନ କରିଛନ୍ତି।

Advertisment

ସେହିପରି କୋମନା ରେଞ୍ଜ ସିରିଲି ଗାଁରେ ଗୋପୀନାଥ ମାଝୀଙ୍କ ଏକ ବାଛୁରିକୁ ବାଘ ମାରି ଖାଇଦେଇଥିବା ଖବର ମିଳିଛି। ଖବର ପାଇ କୋମନା ବନ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ୨ଟି ଯାକ ବାଛୁରିକୁ ବାଘ ମାରିଥିବା ବେଳେ ବାଘର ପାଦଚିହ୍ନ ରହିଥିବା କୋମନା ବନ ବିଭାଗ ରେଞ୍ଜର ଦେବଦତ୍ତ ସୁତାର ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ବନ କର୍ମଚାରୀ ଉଭୟ ଗାଁରେ ପହଞ୍ଚି କେହି ଏକୁଟିଆ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଜରୁରୀ କାମ ପଡ଼ିଲେ ୩ରୁ ୪ ଜଣ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଯେ, ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି। ଗତ ୧୯ ତାରିଖ ଜଳମଡ଼େଇ ଗାଁର ଜଣେ ବୃଦ୍ଧା ସନମତୀ ବାରିକଙ୍କୁ ବାଘ ମାରି ଖାଇ ଦେଇଥିଲା। ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ଉକ୍ତ କଲରାପତରିଆ ବାଘ ବୁଧବାର ଜଳମଡ଼େଇ ଗାଁରେ ଏକ ବଳଦକୁ ମାରି ଖାଇଥିଲା। ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍‌ ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ମଣିଷ ଓ ୧୩ଟି ଗୃହପାଳିତ ପ୍ରାଣୀଙ୍କୁ ବାଘ ମାରିଥିବା ବେଳେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।