ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡର ୭୧ଟି ବିଟ୍‌ ଅଞ୍ଚଳରେ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ବାଘ ଗଣନା ଶନିବାର ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ବାଘ ଥିବା କୌଣସି ଦୃଢ଼ ତଥ୍ୟ ଜଣାପଡ଼ିନାହିଁ। ତେବେ ପିଆଇପିରୁ ଉତ୍ତୋଳିତ ଫଟୋ ଓ ଅନ୍ୟ ତଥ୍ୟ ଅନୁଶୀଳ ପାଇଁ ପଠାଯାଇଛି, ଏହି ରିପୋର୍ଟ ଆସିବା ପରେ ଯାଇ ବାଘ ସମ୍ପର୍କରେ ସଠିକ ତଥ୍ୟ ପ୍ରକାଶ କରିହେବ ବୋଲି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ କହିଛନ୍ତି।

Advertisment

୧୬ ତାରିଖରୁ ଆରମ୍ଭ ହୋଇଥିବା ବାଘ ଗଣନାରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ୫ଟି ବନାଞ୍ଚଳର ୯୫ଟି ବିଟ୍‌ ମଧ୍ୟରୁ ୭୧ଟି ବିଟ୍‌କୁ ସମ୍ପୃକ୍ତ କରାଯାଇଥିଲା। ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ପାଦଚିହ୍ନକୁ ଚିହ୍ନଟ କରିବା ପାଇଁ ନନ୍ଦନକାନନରେ ବନ ବିଭାଗ କର୍ମଚାରୀମାନେ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଥିଲେ। ଏହାପରେ ବାଘର ସମ୍ଭାବ୍ୟ ଗମନାଗମନ ପଥରେ (ପଗ୍‌ ଇମ୍ପ୍ରେସନ ପ୍ୟାଡ୍‌) ପିଆଇପି ଓଟ୍ରାନ୍‌ଜିଟ୍‌ ଲେନ୍‌ ନିର୍ମାଣ ଆଦି ନିର୍ମାଣ କରାଯାଇଥିଲା। ନିୟମାନୁସାରେ, ପ୍ରତି ବିଟ୍‌ରେ ୩ଟି ଟ୍ରାନ୍‌ଜିଟ୍‌ ଲାଇନ୍‌ ଓ ପ୍ରତି ଟ୍ରାନ୍‌ଜିଟ୍‌ ଲାଇନରେ ୩ଶହ ମିଟର ବ୍ୟବଧାନରେ ହାରାହାରି ୨୦ଟି ପିଆଇପି ପ୍ରସ୍ତୁତ କରାଯାଇଥିଲା। ଖୋର୍ଦ୍ଧା ବନାଞ୍ଚଳରେ ବରୁଣେଇ, ଜରିପୁଟ, ଶରଧାପୁର, ଖୋଲାଦ୍ବାର ଠାରେ ଟ୍ରାନ୍‌ଜିଟ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇଥିଲା।

ତେବେ ୭ ଦିନିଆ ପର୍ଯ୍ୟବେକ୍ଷଣ ପରେ ଶନିବାର ଶେଷ ହୋଇଥିବା ବାଘ ଗଣନାରେ ବାଘର ଚଳପ୍ରଚଳର କୌଣସି ଦୃଢ଼ପ୍ରମାଣ ମିଳିନାହିଁ। ଏନେଇ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ୍ କହିଛନ୍ତି ଯେ ଖୋର୍ଦ୍ଧା ବନଖଣ୍ଡର ଡେଲାଙ୍ଗ, ବାଲିଆନ୍ତା ଆଦି ଅଞ୍ଚଳରେ ଜଙ୍ଗଲ ପ୍ରାୟତଃନାହିଁ। ଯେଉଁ ଯେଉଁ ସ୍ଥାନରେ ଜଙ୍ଗଲ ରହିଛି ସେଠାରେ ବାଘ ଗଣନା ପାଇଁ ବ୍ୟବସ୍ଥା କରାଯାଇଥିଲା। ବାଘ ପଦଚିହ୍ନଟ ଚିହ୍ନଟ ସହ ପିଆଇପିରେ ଅନ୍ୟ ଜୀବଜନ୍ତୁଙ୍କ ପଦଚିହ୍ନ ମଧ୍ୟ ଚିହ୍ନଟ ହେବ। ବିଭିନ୍ନ ପିଆଇପିରୁ ମିଳିଥିବା ତଥ୍ୟକୁ ବିଶେଷଜ୍ଞଙ୍କ ନିକଟକୁ ପଠାଇଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ସ୍ପଷ୍ଟ କିଛି କହିହେବ। ଅପରପକ୍ଷରେ, ପରିବେଶବିଦ୍ ତଥା ପଶୁଅଧିକାର କର୍ମୀ ଧନେଶ୍ବର ବିଧାର କହିଛନ୍ତି ଯେ ଖୋର୍ଦ୍ଧାର ବରୁଣେଇ, ଜରିପୁଟ ସମେତ ଅନେକ ଅଞ୍ଚଳରେ ଏକଦା କଲରାପତରିଆ ବାଘ ଥିଲା, ପ୍ରାୟ ୨-୩ ଦଶନ୍ଧୀ ମଧ୍ୟରେ ଏହାଦେଖାଯାଇନାହିଁ। ତେବେ ବରବରା ଓ ଖୋର୍ଦ୍ଧା ବନାଞ୍ଚଳ ଅଧୀନ ନୟାଗଡ଼ ଜିଲ୍ଲାର ରଣପୁର ବନଖଣ୍ଡରେ ବାଘ ରହିଥାଇପାରେ। କିନ୍ତୁ ଗତ କିଛି ବର୍ଷ ଧରି ଏଠାରେ ଆନ୍ତର୍ଜାତୀୟ ପଶୁଶିକାରୀ ରାକେଟ୍‌ ସକ୍ରିୟ ରହିଛନ୍ତି। ପ୍ରାୟ ୧ ବର୍ଷ ପୂର୍ବେ ଏଠାରୁ ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଆଦି ସହ ଶିକାରୀ ଧରାପଡ଼ିଛନ୍ତି।  ଏହି ଦୃଷ୍ଟିରୁ ଏହି ଜଙ୍ଗଲରେ ଯଦି ବାଘ ଚଳପ୍ରଚଳ କରେ ତେବେ ଏହା ଏକ ବଡ଼ ଗୁରୁତ୍ବ ବହନ କରିବ।