ବାରିପଦା/ସିଙ୍ଗଡ଼ା/କରଞ୍ଜିଆ ‌ଗୋଲେଇ : ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବ୍ୟାଘ୍ର ଗଣନା। ପ୍ରତି ୪ ବର୍ଷରେ ହେଉଥିବା ବାଘ ଗଣନା ୪ଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନ୍‌ର ୭୦ ଜାଗାରେ ଗଣନା କରାଯିବ। ଏଥିପାଇଁ ଶିମିଳିପାଳ ଉତ୍ତର ଓ ଦକ୍ଷିଣ, କରଞ୍ଜିଆ, ରାଇରଙ୍ଗପୁର, ବାରିପଦା, ଉଦଳା, ବାଙ୍ଗରିପୋଷି, ଦେଉଳି, ରାସଗୋବିନ୍ଦପୁର, କପ୍ତିପଦା ରେଞ୍ଜ ଅନ୍ତର୍ଗତ ଜଙ୍ଗଲରେ ୫ ଶହରୁ ଅଧିକ ଉଚ୍ଚ କ୍ଷମତାସଂପନ୍ନ କ୍ୟାମେରା ଲଗାଯାଇଛି। ଏଥର ବାଘ ଗଣନାରେ ନୂଆ ବୈଷୟିକ ଜ୍ଞାନକୌଶଳର ଉପଯୋଗ ହେବ। ରାତିରେ ଦୃଶ୍ୟମାନ ହେଉଥିବା ଇନଫ୍ରା ରେଡ୍‌ କ୍ୟାମେରା ସହିତ ବାଘର ପାଦଚିହ୍ନ, ସ୍ବତନ୍ତ୍ର ଆପ୍‌ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦ୍ଧତିକୁ ଅନୁସରଣ କରି ବାଘ ଗଣନା କରାଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ସାଇ କିରଣ ପ୍ରକାଶ କରିଛନ୍ତି।

Advertisment

ବାଘ ଗଣନା ପାଇଁ ଶୁକ୍ରବାର ସକାଳ ୬ଟାରୁ ସ୍ବତନ୍ତ୍ର ତାଲିମପ୍ରାପ୍ତ ବନ କର୍ମଚାରୀମାନେ ଶିମିଳିପାଳର କୋର୍‌ ଓ ବଫର୍‌ ଏରିଆରେ ପ୍ରବେଶ କରିଥିଲେ। ଏସ୍‌ଟିଆର ଉପନିର୍ଦ୍ଦେଶକ, ଡିଏଫ୍‌ଓଙ୍କ ସମେତ ସମସ୍ତ ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଜାନୁଆରି ସୁଦ୍ଧା ଦିଲ୍ଲୀସ୍ଥିତ ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥାକୁ ରିପୋର୍ଟ ପ୍ରଦାନ କରାଯିବ ଓ ଗଣନା ରିପୋର୍ଟକୁ ଜାତୀୟ ବ୍ୟାଘ୍ର ଦିବସ ଦିନ ଘୋଷଣା କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।