ସମ୍ବଲପୁର : ଡେବ୍ରିଗଡ଼ ଜଙ୍ଗଲରେ ହତ୍ୟା କରା ଯାଇଥିବା ଜନ୍ତୁ ମହାବଳ ନୁହେଁ କଲରାପତରିଆ ବୋଲି କହି ବନ ବିଭାଗ ନିଜ ଦୋଷ ଲାଘବ କରିବା ଉଦ୍ୟମ କରୁଛି। ତେବେ କଲରାପତରିଆ ବାଘକୁ ହତ୍ୟା କରାଯିବା ଦୋଷାବହ ନୁହେଁ କି? ଡେବ୍ରିଗଡ଼ରେ ମାତ୍ର ୨୨ଟି କଲରାପତରିଆ ଥିଲାବେଳେ ସେମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଅସମର୍ଥ କାହିଁକି? ବହୁ ବନ୍ୟପ୍ରାଣୀ ପ୍ରେମୀ ଏବେ ଏହି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ପକ୍ଷରେ ଜନ୍ତୁଟିର ସ୍ବାଭାବିକ ମୃତ୍ୟୁ ହୋଇ ନାହିଁ, ତାକୁ ହତ୍ୟା କରାଯାଇଛି ବୋଲି ବନ ବିଭାଗ ଏକପ୍ରକାର ସ୍ବୀକାର କରିଛି। ମାତ୍ର ୪ଟି ନଖ ମିଳିଥିବାବେଳେ ବାକି ନଖ ଓ ଦାନ୍ତ ଗାୟବ ଥିବା ତଥା ମୁହଁ କଟା ହୋଇଥିବା ବାଘ ହତ୍ୟାକୁ ଏକ ପ୍ରକାର ସ୍ପଷ୍ଟ କରୁଛି। ବର୍ତ୍ତମାନ ବାଘ ହତ୍ୟା ନେଇ ସ୍ଥାନୀୟ ବନ କର୍ମଚାରୀମାନେ ଅବଗତ ଥିଲେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନଭାବେ ମୁଣ୍ଡ ଟେକିଛି। ବାଘର ଗଳିତ ଦେହ ଆବିଷ୍କାର କରିଥିବା ସ୍ନେକ୍ ହେଲ୍ପ ଲାଇନ୍ର ଶୁଭେନ୍ଦୁ ମଲ୍ଲିକ କେଉଁଠୁ ଏହି ସୂଚନା ପାଇଲେ ଓ କେମିତି ସେହି ସ୍ଥାନରେ ପହଞ୍ଚିଲେ ସେେନଇ ବନ ବିଭାଗର ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି। ତେଣୁ ତାଙ୍କୁ ପଚରାଉଚୁରା ସହ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ବାଘ ମୃତ୍ୟୁ କଥା ଯେ ଜଙ୍ଗଲର ଦାୟିତ୍ବରେ ଥିବା ବନ କର୍ମଚାରୀମାନେ ଜାଣି ନଥିଲେ ଏକଥାକୁ ବହୁ ଲୋକ ହଜମ କରିପାରୁ ନାହାନ୍ତି। ଶିକାରୀମାନେ ବାଘକୁ ମାରି ନଖ ଓ ଦାନ୍ତ ନେଇ ସାରିଲା ପରେ ପୁଣି ତା’ ଉପରେ ପତ୍ର ଓ ପଥର ଘୋଡ଼ାଇବେ ଏହାକୁ ଅନେକ ବିଶ୍ବାସ କରୁ ନାହାନ୍ତି। ସେହିପରି ଜଙ୍ଗଲରେ ପେଟ୍ରୋଲିଂ କରୁଥିବା କର୍ମଚାରୀଙ୍କ ନାକରେ ଗଳିତ ଶବର ଗନ୍ଧ ବି ନ ବାଜିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଏ ଦିଗରେ ବି ତଦନ୍ତ ହେବା ଉଚିତ ବୋଲି ଅନେକ ମତ ଦେଇଛନ୍ତି। ଏହାଛଡ଼ା ବନ୍ୟ ଜୀବନ ଉପରେ ଜ୍ଞାନ ଥିବା କିଛି ଲୋକଙ୍କ କହିବା େହଲା ଶିକାରୀମାନେ ସାଧାରଣତଃ କଲରାପତରିଆକୁ ମାରି ନଥାନ୍ତି। କାରଣ ଏହା ସେମାନଙ୍କର ବିଶେଷ କ୍ଷତି କରି ନଥାଏ ବା ତାକୁ ମାରି ସେମାନଙ୍କୁ ଖାସ ଲାଭ ବି ମିଳ ନଥାଏ। ଅପର ପକ୍ଷରେ ମହାବଳ ବାଘ ଜଙ୍ଗଲରେ ଶିକାରୀଙ୍କ ଅବାଧ ବିଚରଣ ପ୍ରତି ବିପଦ। ତା’ର ନଖ, ଦାନ୍ତ, ଚମଡ଼ା ଆଦି ବେଶ ମୂଲ୍ୟବାନ। ତେଣୁ ତା’କୁ ଜଙ୍ଗଲରୁ ହଟାଇବା ସହ ନଖ ଓ ଦାନ୍ତ ନେଇ ଲାଭବାନ ହେବା ଶିକାରୀଙ୍କ ଉଦ୍ଦେଶ୍ୟ ହୋଇଥାଇ ପାରେ ବୋଲି କୁହାଯାଉଛି।
ବାଘ ଶବ ମିଳିବାର ପରଦିନ ବନ ବିଭାଗ ପକ୍ଷରୁ ତରବରିଆଭାବେ ଏହାର ବ୍ୟବଛେଦ, ନମୁନା ସଂଗ୍ରହ ଓ ଶେଷକୃତ୍ୟ କରାଯାଇଛି। ନମୁନା ସଂଗ୍ରହ ପରେ ଅବଶିଷ୍ଟ ଶରୀରକୁ ନଷ୍ଟ କରିଦେବା ସ୍ବାଭାବିକ ପ୍ରକ୍ରିୟା ବୋଲି ଆର୍ସିସିଏଫ୍ ଓପି ସିଂହ କହିଛନ୍ତି। କିନ୍ତୁ ସାଧାରଣତଃ ଜନ୍ତୁମାନଙ୍କ ମୃତ ଶରୀରକୁ ଗାତ ଖୋଳି ପୋତି ଦିଆ ଯାଇଥାଏ। ହେଲେ ଏକ୍ଷେତ୍ରରେ ବନ ବିଭାଗ ଏହାର ଶରୀରକୁ ପୋତିବା ବଦଳରେ ପୋଡ଼ିଲା କାହିଁକି ସେନେଇ ଅନେକ ସଂଦେହ ବ୍ୟକ୍ତ କରିଛନ୍ତି। ଆଗକୁ ଆଉ କୌଣସି ପ୍ରମାଣ ନରଖିବା ଉଦ୍ଦେଶ୍ୟରେ ଏହା କରାଯାଇ ଥାଇପାରେ ବୋଲି କୁହାଯାଉଛି।
ବାଘ ହତ୍ୟା ଘଟଣା : ଫରେଷ୍ଟର, ଗାର୍ଡ ନିଲମ୍ବିତ
ବରଗଡ଼ : ରବିବାର ଭଟଲି ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦର ପଡ଼ା ମଧ୍ୟସ୍ଥ ଜଂଗଲରୁ ବାଘର ଗଳିତ ଶବ ଉଦ୍ଧାର ହୋଇଥିଲା। ବାଘକୁ ହତ୍ୟା କରି ନଖ, ଦାନ୍ତ ଏବଂ ଛାଲ କାଢ଼ି ନିଆଯାଇଥିଲା। ପରେ ଏହାକୁ ନିଛାଟିଆ ଜଂଗଲ ଭିତରେ ପୋତି ଦିଆଯାଇଥିଲା। ଏହି ମାମଲାରେ ବରଗଡ଼ ରେଂଜରେ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଇତିମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମେ ପାଳି ପଡ଼ିଛି କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ଖଜୁରିଆ ବିଟ୍ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କର। ଉଭୟଙ୍କୁ ବରଗଡ଼ ଡିଏଫ୍ଓ ଅଭୟ ଦଳାଇ କାର୍ଯ୍ୟରୁ ନିଲମ୍ବନ ଆଦେଶ ଦେଇଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ବାଘର ବହୁମୂଲ୍ୟ ଅଂଗଗୁଡ଼ିକୁ କିଏ ନେଇଛି, ସେନେଇ ତନାଘନା ଚାଲିଛି ବୋଲି ସହକାରୀ ବନ ସଂରକ୍ଷକ ଏମ୍ଏଲ୍ ଶର୍ମା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ ନିଜ ପୂର୍ବ ଟିପ୍ପଣୀକୁ ଦୋହରାଇଛି। ଡେରାଡୁନ ଏବଂ ବେଂଗାଲୁରୁକୁ ଗଳିତ ଶବର ନମୁନା ରିପୋର୍ଟ ଆସିବା ପରେ ହିଁ ଶବ ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଶ୍ରୀ ଶର୍ମା କହିଛନ୍ତି।