ଓଡ଼ିଶା ବଦନାମ, ପାଣିରେ ପଡ଼ିଲା ୬ କୋଟି

ଭୁବନେଶ୍ବର/ନୂଆଦିଲ୍ଲୀ : ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବାକୁ ଯୋଜନା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ଦେଶର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଓଡ଼ିଶାରେ ଆରମ୍ଭ ହୋଇଥିଲା। ମଧ୍ୟ‌ପ୍ରଦେଶରୁ ତିନି ଯୋଡ଼ା ବାଘ ଓଡ଼ିଶାର ସାତକୋଶିଆକୁ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ବାଘ ଓ ବାଘୁଣୀ ଆଣି ସମ୍ପ୍ରସାରଣ କରାଯାଇଥିବା ବେଳେ ଏବେ ପ୍ରକଳ୍ପକୁ ବଡ଼ଧରଣର ଝଟକା ଲାଗିଛି। ଜଙ୍ଗଲର ରାଜା ଏବେ ଜଙ୍ଗଲରେ ଅସୁରକ୍ଷିତ ହୋଇପଡ଼ିଥିବା ପ୍ରମାଣିତ େହାଇପଡିଛି।

ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିବା ‘ସୁନ୍ଦରୀ’ ବନ୍ଦୀ ହୋଇଥିବା ବେଳେ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘ ‘ମହାବୀର’କୁ ମାରି ଦିଆଯାଇଛି। ସରକାରଙ୍କ ଅବହେଳା ସାଙ୍ଗକୁ ବନ ବିଭାଗର ଖାମଖିଆଲି ନୀତି ଯୋଗୁଁ ଦେଶର ଏହି ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଅଧାରୁ ସ୍ଥଗିତ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)।

ଏହି ପ୍ରକଳ୍ପ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମୋଟ ୧୮ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ନିଷ୍ପତ୍ତି େହାଇଥିଲା। ୬୦:୪୦ ଅନୁପାତରେ ଏହି ଅର୍ଥ ଖର୍ଚ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ଥାନାନ୍ତର ହୋଇଥିବା ଦୁଇ ବାଘ ପଛରେ ଏପର୍ଯ୍ୟନ୍ତ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ବାକି ଆଉ ଦୁଇଟି ପର୍ଯ୍ୟାୟରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବାର ଥିଲା। ଏବେ ପ୍ରକଳ୍ପର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। ଯେଉଁ ୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି ତାହା ପାଣିରେ ପଡ଼ିଛି।

ସାତକୋଶିଆର ସ୍ଥିତି ଉପରେ ଠିକ୍‌ ଭାବେ ଅନୁଧ୍ୟାନ କରା ନଯାଇ ପ୍ରକଳ୍ପକୁ ଆଗକୁ ନିଆଯାଇଥିବାରୁ ଏଭଳି ସମସ୍ୟା ହୋଇଛି ବୋଲି ବି‌ଶେଷଜ୍ଞମାନେ ମତ ଦେଇଛନ୍ତି। ଗତ ୧୭ ଦିନ ମଧ୍ୟରେ ଓଡ଼ିଶାରେ ଦୁଇଟି ବାଘ ମୃତ୍ୟୁକୁ ନେଇ ୱାଇଲ୍ଡଲାଇଫ୍ ପ୍ରୋଟେକ୍ସନ ସୋସାଇଟ୍‌ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ତଥା ଦେଶର ଜଣାଶୁଣା ବ୍ୟାଘ୍ର ସଂରକ୍ଷକ ବେଲିନ୍ଦା ରାଇଟ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି। କାହ୍ନାରୁ ଅଣାଯିବା ସମୟରେ ମହାବଳ ସୁସ୍ଥ ଓ ହୃଷ୍ଟପୃଷ୍ଟ ରହିଥିଲା। ହଠାତ୍‌ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ ହେବା ଦରକାର। ଏଥିସହ ସାତକୋଶିଆର ଘଞ୍ଚ ଜଙ୍ଗଲରେ ବାଘର ଆଚରଣ ଓ ବିଚରଣ କେତେମାତ୍ରାରେ ହୋଇଥିଲା ତାହାର ତଦନ୍ତ କରାଯାଇ ଲୋକଲୋଚନକୁ ଅଣାଯାଉ। ନିଜର ପୂର୍ବ ଅନୁଭୂତିରୁ ସେ କହିଛନ୍ତି ଯେ ସାତକୋଶିଆରେ ବାଘ ବଂଶ ବୃଦ୍ଧି କରାଯାଇପାରିବ। କିନ୍ତୁ ତରବରିଆ ଭାବେ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଚେତନତା କରାଯିବାର ଆବଶ୍ୟକତା ରହିଛି। ପୂର୍ବରୁ ୨୦୦୮ରେ ରାଜସ୍ଥାନରେ ଏଭଳି ଘଟଣା ହୋଇଥିଲା। ରାଜସ୍ଥାନର ରନ୍ଥାବୋର ଜାତୀୟ ପାର୍କରୁ ସେହି ରାଜ୍ୟର ସାରିସ୍କା ବାଘ ଅଭୟାରଣ୍ୟକୁ ଗୋଟିଏ ବାଘକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାମବାସୀ ସେହି ବାଘକୁ ବାଡ଼େଇ ମାରି ଦେଇଥିଲେ। ସାତକୋଶିଆରେ ବାଘ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପରିବର୍ତେ ଏଥିରେ କିଭଳି ସୁଧାର ଅଣାଯାଇପାରିବ ସେଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ପରିବେଶବିତ୍‌ ପ୍ରଦୀପ ତରାଇଙ୍କ କହିବା କଥା ହେଲା ୧୭ ଦିନରେ ଦୁଇଟି ବାଘ ମୃତ୍ୟୁ ଚିନ୍ତାର ବିଷୟ। ବାଘକୁ ଛାଡ଼ିବା ପୂର୍ବରୁ ସାତକୋଶିଆ ଭିତ୍ତିଭୂମିକୁ ଠିକ୍‌ ଭାବେ ଅନୁଧ୍ୟାନ କରାଗଲା ନାହିଁ। ଯେଉଁଥିପାଇଁ ଆଜି ଏଭଳି ପରିସ୍ଥିତି ଉପୁଜିଛି। ଅଭୟାରଣ୍ୟରେ ବାଘ ଛାଡ଼ିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯିବାର ଥିଲା। ‘ମହାବୀର’ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଗଲା ନାହିଁ। ଏନ୍‌ଟିସିଏର ଗାଇଡ୍‌ଲାଇନ୍‌କୁ ବନ ବିଭାଗର ଅଧିକାରୀମାନେ ଉଲ୍ଲଂଘନ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଏନ୍‌ସିଟିଏର ଜଣେ ଅଧିକାରୀ କହିଛନ୍ତି ଯେ ବାଘ ମୃତ୍ୟୁର ରିପୋର୍ଟଗୁଡ଼ିକର ଅନୁଧ୍ୟାନ ଓ ବିଶେଷଜ୍ଞଙ୍କ ମତାମତ ପରେ ପ୍ରକଳ୍ପ ଜାରି ରହିବ କି ବନ୍ଦ କରାଯିବ ତାହାର ଚୂଡ଼ନ୍ତ ନିଷ୍ପତ୍ତି ନିଆଯିବ। ‘ମହାବୀର’ କୋର ଏରିଆରେ ଚଳପ୍ରଚଳ କରୁଥିବା ବେଳେ ଏନ୍‌ଟିସିଏର ପ୍ରୋଟୋକଲ ପାଳନ କରାଯାଉଥିଲା କି ନାହିଁ ସେନେଇ ସମୀକ୍ଷା ହେବ। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ତଦନ୍ତର ସବୁଠାରୁ ବଡ଼ ଅଙ୍ଗ ରହିବ। ବନ ବିଭାଗ ସମସ୍ତ ପ୍ରକାର ଗାଇଡ୍‌ଲାଇନ୍‌ ପାଳନ କରିଥିଲା କି ନାହିଁ ତାହାର ଅନୁଧ୍ୟାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର