ଘୁମୁସରରେ ନାହିଁ ମହାବଳ ବାଘ! କମିବାରେ ଲାଗିଛି କଲରାପତରିଆଙ୍କ ସଂଖ୍ୟା

ଆଜି ଆନ୍ତର୍ଜାତିକ ବାଘ ଦିବସ, ଉତ୍ତର-ଦକ୍ଷିଣ ଘୁମୁସର ବନଖଣ୍ଡରେ ନାହାନ୍ତି ମହାବଳ

ଭଞ୍ଜନଗର(ବିଶ୍ୱମ୍ବର ଜେନା): ସଙ୍କଟରେ ପଡ଼ିଥିବା ବାଘ ବଂଶ ରକ୍ଷା ସହ ସେମାନଙ୍କ ସୁରକ୍ଷା ଲାଗି ଆଜି ସାରା ବିଶ୍ବରେ ପାଳିତ ହେଉଛି ଆନ୍ତର୍ଜାତିକ ବାଘ ଦିବସ। ପରିବେଶବିତ୍‌ଙ୍କ ମତରେ ପ୍ରକୃତି ଲାଗି ବାଘ ଏକ ଅମୂଲ୍ୟ ଅବଦାନ। ବନ୍ୟଜନ୍ତୁଙ୍କ ସମେତ ବାଘର ବଂଶ ବୃଦ୍ଧି ବନାଞ୍ଚଳର ଭାରସାମ୍ୟ ରକ୍ଷାରେ ବିଶେଷ ସହାୟକ ହୋଇଥାଏ। ହେଲେ ‌କ୍ଷୋଭର ବିଷୟ ହେଉଛି, ବିଗତ କିଛି ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସେମାନଙ୍କ ବଂଶରକ୍ଷା ପାଇଁ ତୃଣମୂଳସ୍ତରରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇପାରୁନି। ଏକ ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ବାଘକୁ ଆଜିର ସମୟରେ ଗଣନା କରଯାଉଛି। ବାସସ୍ଥଳୀ ସଙ୍କୁଚିତ ହେବା ବାଘ ମାନଙ୍କ ସଂଖ୍ୟା ହ୍ରାସର ଏକ ପ୍ରମୁଖ କାରଣ। ସହରର ଜନବସତି ବୃଦ୍ଧି ପାଇବା ସହିତ ଘଞ୍ଚ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାଘଙ୍କ ବାସସ୍ଥଳୀ ପାଖାପାଖି ୯୦ ପ୍ରତିଶତ କମିଥିବା ଏକ ପରିସଂଖ୍ୟନରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ବାଘର ଜୀବନ ପ୍ରତି ବିପଦ ସୃ୍ଷ୍ଟି କରିଛି। ନଖ, ଚମଡ଼ା ଓ ଦାନ୍ତ ଆଦି ଲାଗି ଅବାଧରେ ବାଘ ଶିକାର ହେଉଛି। ତସ୍କର ମାନେ ଏହାକୁ ଅନ୍ୟ ରାଜ୍ୟରେ ନେଇ ବିକ୍ରି କରୁଛନ୍ତି। କିଛି ଦିନ ତଳେ କଳାହାଣ୍ଡି ବନ ବିଭାଗ ଛତିଶଗଡ଼ ବନ ବିଭାଗର ସହାୟତା‌ରେ ଏକ ତସ୍କର ଗ୍ୟାଙ୍ଗକୁ କାବୁ କରିଥିଲା। ତେବେ ଗଞ୍ଜାମ ଜିଲ୍ଲାର ବୃହତ୍ ବନଖଣ୍ଡ ଭାବେ ପରିଚିତ ଉତ୍ତର ଓ ଘୁମୁସର ବନଖଣ୍ଡ ବହୁ ବନ୍ୟପ୍ରାଣୀ ଓ ବିରଳ ପ୍ରଜାତିର ପଶୁଙ୍କ ପ୍ରମୁଖ ଆସ୍ଥାନସ୍ଥଳୀ ହୋଇଥିବା ବେଳେ ବନ ବିଭାଗର ଆକଳନ ଅନୁଯାୟୀ, ଉଭୟ ବନଖଣ୍ଡରେ ଗୋଟିଏ ମଧ୍ୟ ମହାବଳ ବାଘ ନାହାନ୍ତି। କିଛି ଜଙ୍ଗଲରେ କେବଳ କଲରାପତରିଆ ବାଘ ଦେଖାଯାଉଛନ୍ତି। କିନ୍ତୁ ସେମାନେ ବି ଜନବସତିମୁହାଁ ହେଉଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡରେ ୨୦୧୬ ମସିହାରେ ହୋଇଥିବା ବାଘ ଗଣନାରେ ୧୭ ଗୋଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ ୬ଟି ପୁରୁଷ ଓ ୧୦ଟି ମାଈ ଏବଂ ଗୋଟିଏ ଛୁଆ ଥିଲା। ୨୦୧୮ ମସିହା ଗଣନା ବେଳକୁ ସଂଖ୍ୟା ୬କୁ ଆସିଥିଲା। ଫଳରେ ଏହି ବନଖଣ୍ଡରେ କଲରାପତରିଆ ବାଘଙ୍କ ସୁରକ୍ଷା ଚିନ୍ତାର କାରଣ ପାଲଟିଛି। ଜାନୁଆରି ମାସରେ ବୁଗୁଡ଼ାର ମୁଣ୍ଡାଖାଇ ପାହାଡ଼ରେ ବାରହା ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବନ ବିଭାଗର ଅପାରଗତା ପଦାରେ ପଡ଼ିଥିଲା।

ଏହାପୂର୍ବରୁ ୨୦୧୫ ମସିହା ଜୁଲାଇ ୮ ତାରିଖ ଦିନ ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରେ ଗୋଟିଏ ବାଘକୁ ଶିକାରୀ ମାନେ ହତ୍ୟା କରିବା ଅଭି‌‌ଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ଏହି ଘଟଣା ପରେ ବାଘ ଶିକାର ଘଟଣା ସାମ୍ନାକୁ ଆସିନି। ତଥାପି ସେମାନଙ୍କ ସଂଖ୍ୟା ଅହେତୁକ ଭାବେ କମିବାରେ ଲାଗିଛି।

ଗତବର୍ଷ ମୁଜାଗଡ ବନାଞ୍ଚଳର ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇବାଲି ସଂରକ୍ଷିତ ଜଙ୍ଗଲ ଭାଗ-୪ରୁ ଏକ କଲରାପତରିଆ ବାଘ ଆସି ହରିକୃଷ୍ଣ ସାହୁଙ୍କ ବାଛୁରୀକୁ ମାରିଦେଇଥିଲା। ଗ୍ରାମବାସୀ ପାଟି କରିବାରୁ ଜଙ୍ଗଲକୁ ଦୌଡ଼ିଥିଲା। ସେହିପରି ଗତବର୍ଷ ଅକ୍ଟୋବର ମାସରେ ଜଗନ୍ନାଥପ୍ରସାଦ ବନାଞ୍ଚଳର ନଣ୍ଡେଇ ପାହାଡ଼ରେ ବାଘ ରହିଥିବା ସହ କିଛି ବାଛୁରୀ ଏବଂ ଛେଳିକୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ବରଗାଁରେ ଗୋଟିଏ ବାଛୁରୀକୁ ବାଘ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ତନାଘନା ସତ୍ତ୍ବେ ବାଘର ସନ୍ଧାନ ମିଳିନଥିଲା। ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳର ଜିରାବାଡି ଗ୍ରାମର ଦାନ୍ତକାଠି ମୁଣ୍ଡିଆରେ ବାଘ ଆତଙ୍କ ଦେଖାଦେଇଥିଲା। ୨୦୧୮ ମସିହାରେ ମଧ୍ୟ ଜଗନ୍ନାଥପ୍ରସାଦ ବ୍ଳକ୍‌ ରାମ୍ପୁ ଗ୍ରାମରେ ଏକ ଗାଈକୁ ବାଘ ଖାଇଥିବା ଅଭିଯୋଗ ଆସିଥିଲା। ସେହି ସମୟରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିବା ବେଳେ ବନ ବିଭାଗ ବାଘ ପାଦ ଖୋଜି କୌଣସି ଟେର୍ ପାଇ ନଥିଲା। ବାଘ ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ସଚେତନତା ଅଭାବରୁ ଏହା ବିଲୁପ୍ତପ୍ରାୟ ପାଲଟିଲାଣି। ଏମାନଙ୍କ ରକ୍ଷା କରିବା ସହ ସେମାନଙ୍କର ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷା ଦେବା ଜରୁରୀ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର