ଭୁବନେଶ୍ବର: ଓଡ଼ିଶାରେ ହାତୀଙ୍କ ସଂଖ୍ୟା ୨,୧୦୩ରେ ପହଞ୍ଚିଛି। ମାତ୍ର ସେମାନଙ୍କ ରହିବାକୁ ଜାଗା ନାହିଁ। ବାଘଙ୍କ ସଂଖ୍ୟା ୩୦ ଟପିଥିଲେ ମଧ୍ୟ ବଢ଼ୁଥିବା ଜନବସତି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସ୍ଥିତି ଧୀରେ ଧୀରେ ସାଂଘାତିକ ହେଉଥିବାରୁ ରାଜ୍ୟ ସରକାର ବାଘ, ହାତୀଙ୍କ ପାଇଁ ଅଧିକ ଜଙ୍ଗଲ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ହାତୀଙ୍କ ଉତ୍ତମ ପରିଚାଳନା ପାଇଁ ରାଜ୍ୟରେ ତିନୋଟି ସଂରକ୍ଷିତ ଜଙ୍ଗଲ ରହିଛି। ସେଗୁଡ଼ିକ ହେଲା ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲ। ଏହି ତିନୋଟି ଜଙ୍ଗଲରେ ପ୍ରାୟ ୫୮୪ଟି ହାତୀ ରହୁଛନ୍ତି। ଅର୍ଥାତ୍ ଓଡ଼ିଶାର ମୋଟ ହାତୀଙ୍କ ମଧ୍ୟରୁ ପ୍ରାୟ ୨୮% ସଂରକ୍ଷିତ ଅଞ୍ଚଳରେ ରହିଥାନ୍ତି, ଯାହାର ମୋଟ କ୍ଷେତ୍ରଫଳ ୮,୫୦୯ ବର୍ଗ କିଲୋମିଟର। କିଛି ବର୍ଷ ମଧ୍ୟରେ ହାତୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲର ପରିସୀମା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ମହାନଦୀ, ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲ ପରିସୀମା ବଢ଼ିବ
୩ଟି ନୂଆ ଅଭୟାରଣ୍ୟ ଉପରେ ଚାଲିଛି ଅନୁଧ୍ୟାନ
ମହେନ୍ଦ୍ରଗିରିକୁ ଜୈବମଣ୍ଡଳ
ଭାବେ ଯୋଡ଼ିବାକୁ ପ୍ରସ୍ତାବ
ମହାନଦୀ ହାତୀ ସଂରକ୍ଷିତ ଜଙ୍ଗଲର ପରିସୀମା ଏବେ ୧,୦୩୮.୩୦ ବର୍ଗ କିମି ରହିଛି। ସେଥିମଧ୍ୟରେ ୯୭୧.୭୫୧ ବର୍ଗ କିମି ସଂରକ୍ଷିତ ଜଙ୍ଗଲ ହୋଇଥିବା ବେଳେ ୧୧୪.୨୩୫ ବର୍ଗ କିମି ଅନ୍ୟାନ୍ୟ ଜଙ୍ଗଲ ଓ ୫୭.୨୩୫ ବର୍ଗ କିମି ଅଣଜଙ୍ଗଲ ରହିଛି। ଏଥିରେ ଆଉ ୧୧୪୩.୨୨୨ ବର୍ଗ କିମି ଜଙ୍ଗଲ ଯୋଡ଼ିବାକୁ ପ୍ରସ୍ତାବ ରହିଛି। ଏହାଦ୍ବାରା ସଂରକ୍ଷିତ ଅଞ୍ଚଳର ପରିସୀମା ୨,୧୮୧.୫୨୨ ବର୍ଗ କିମି ହୋଇଯିବ। ସେହିପରି ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳର ପରିସୀମା ଏବେ ୪୨୬.୯୧ ବର୍ଗ କିମି ରହିଛି। ଆଉ ୧,୩୭୦.୧୩୮ ବର୍ଗ କିମି ଜଙ୍ଗଲ ଯୋଡ଼ିବାକୁ ପ୍ରସ୍ତାବ ରହିଛି। ଏହାଦ୍ବାରା ସଂରକ୍ଷିତ ଅଞ୍ଚଳର ପରିସୀମା ୧,୭୯୭.୦୪୮ ବର୍ଗ କିମିରେ ପହଞ୍ଚିବ। ହାତୀ ସଂରକ୍ଷଣ ଅଞ୍ଚଳର ବିସ୍ତାର ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁଧ୍ୟାନ କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ଆଉ ତିନୋଟି ସଂରକ୍ଷିତ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରିବା ଉପରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ଅନୁଗୁଳ ଜିଲ୍ଲାର ୧୯୨.୩୨ ବର୍ଗ କିମିର ଉତ୍ତରାଞ୍ଚଳ ସଂରକ୍ଷିତ ଜଙ୍ଗଲ, ଖୋର୍ଦ୍ଧା ଜିଲ୍ଲାର ୩୫୮.୧୦ ବର୍ଗ କିମିର ବରବରା ସଂରକ୍ଷିତ ଜଙ୍ଗଲ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଥିବା ୧୯୧.୦୧ ବର୍ଗ କିମିର ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲକୁ ଅଭୟାରଣ୍ୟରେ ପରିଣତ କରିବା ଉପରେ ଆଲୋଚନା ଚାଲିଛି। ସେହିପରି ଏବେ ଶିମିଳିପାଳର ୫,୫୬୯ ବର୍ଗ କିମି ଅଞ୍ଚଳକୁ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ମାନ୍ୟତା ମିଳିଛି, ଯାହାକି ଓଡ଼ିଶାର ଏକମାତ୍ର ଜୈବମଣ୍ଡଳ। ଗଜପତି ଜିଲ୍ଲାର ମହେନ୍ଦ୍ରଗିରିକୁ ଆଉ ଏକ ଜୈବମଣ୍ଡଳ ଭାବେ ଯୋଡ଼ିବାକୁ ପ୍ରସ୍ତାବ ରହିଛି। ଯେଉଁଥିରେ ୪୨.୫୪ ବର୍ଗ କିମିର କୋର ଏରିଆ, ୧,୫୭୦.୩୧ ବର୍ଗ କିମିର ବଫର୍ ଏରିଆ ଓ ୩,୧୪୫.୦୧ ବର୍ଗ କିମିର ଟ୍ରାଞ୍ଜିସନାଲ୍ ଏରିଆକୁ ମିଶାଇ ମୋଟ ୪,୭୫୭.୮୬ ବର୍ଗ କିମି ଅଞ୍ଚଳକୁ ସାମିଲ କରାଯିବ। ଏହା ଉପରେ ମଧ୍ୟ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି।
ଅନ୍ୟପକ୍ଷରେ ୧୯୭୩ରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ବାଘଙ୍କ ବାସସ୍ଥାନ ସଂରକ୍ଷଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏବେ ଓଡ଼ିଶାରରେ ଶିମିଳିପାଳ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ରହିଛି। ଶିମିଳିପାଳ କେବଳ ମୟୂରଭଞ୍ଜ ଜିଲ୍ଲାରେ ଥିବା ବେଳେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅନୁଗୁଳ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ପରିସୀମାକୁ ସ୍ପର୍ଶ କରିଛି। ବହୁବର୍ଷ ହେଲା ପ୍ରସ୍ତାବରେ ଥିବା ଆଉ ଦୁଇଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଯଥା ନୂଆପଡ଼ା ଜିଲ୍ଲାର ୧,୦୮୩.୦୯ ବର୍ଗ କିମି ବିଶିଷ୍ଟ ସୁନାବେଢ଼ା ଓ ସମ୍ବଲପୁର ଜିଲ୍ଲାର ୪୫୭.୦୧ ବର୍ଗ କିମିର ଡେବ୍ରିଗଡ଼ ଅଞ୍ଚଳକୁ ସାମିଲ କରାଯିବ। ଇତିମଧ୍ୟରେ ଉଭୟ ସଂରକ୍ଷିତ ଅଞ୍ଚଳ ପାଇଁ ଏନ୍ଟିସିଏର ସୁପାରିସଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରୁଥିବା ପିସିସିଏଫ୍(ବନ୍ୟପ୍ରାଣୀ) ପ୍ରେମ୍ କୁମାର ଝା କହିଛନ୍ତି।