ବନ ବିଭାଗର ବାଘ ଚିନ୍ତା : ସାତକୋଶିଆରୁ ଲୋପ ପାଇବ ବାଘ ବଂଶ!
ଏବେ ଗୋଟିଏ ବୋଲି ଅସୁସ୍ଥ ବାଘ, ପୁଣି ଆରମ୍ଭ ହେବ କ୍ୟାମେରା ଟ୍ରାପ୍ ପଇଁତରା ବ୍ୟବସ୍ଥା
ଅନୁଗୁଳ : ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ସାତକୋଶିଆ। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ଠୋସ୍ ପଦକ୍ଷେପ ନେଉନଥିବାବେଳେ ଏବେ ପୁଣି ସୁରକ୍ଷା ପାଇଁ ଜଂଗଲରେ ‘କ୍ୟାମେରା ଟ୍ରାପ୍’ ଓ ପଇଁତରା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବନ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜରେ ଅନୁଷ୍ଠିତ ହୋଇଯାଇଛି। ସାତକୋଶିଆର ଏକମାତ୍ର ଦେଶୀ ବୁଢ଼ୀ ବାଘୁଣୀ ଶରୀରରେ ଘା’ ହୋଇଛି। ଏହାର ଚିକିତ୍ସା କରିପାରୁନଥିବା ବନବିଭାଗ ଏବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥା ପ୍ରତି ପଦପେକ୍ଷ ନେବା ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ସାତକୋଶିଆ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡର ହାତିଧରା ଜଂଗଲ, ଅନୁଗୁଳ ବନଖଣ୍ଡର ବନ୍ତଳା ଅଂଚଳ, ମହାନଦୀ ବନଖଣ୍ଡ, ବୌଦ୍ଧ, ଆଠଗଡ଼ ଓ ଢେଙ୍କାନାଳ ବନଖଣ୍ଡର କିଛି କିଛି ଅଂଚଳ ରହିଛି। ୨୦୦୭ ମସିହା ଡିସେମ୍ବର ୩୧ତାରିଖରେ ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଥିଲା। ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ବାଘ ଥିଲେ। ହେଲେ, ବନ ବିଭାଗର ଅବହେଳା ଓ ଶିକାରୀମାନଙ୍କ ସକ୍ରିୟତା ଯୋଗୁଁ ଏବେ ମାତ୍ର ଗୋଟିଏ ବୁଢ଼ୀ ବାଘୁଣୀ ବଞ୍ଚି ରହିଛି। ତେବେ, ତା’ର ବି ସ୍ବାସ୍ଥ୍ୟବସ୍ଥା ଠିକ୍ ନାହିଁ। ଶରୀରରେ ଘା’ ଚିହ୍ନଟ ହେବାର ପ୍ରାୟ ୩ ମାସ ପରେ ବି ଚିକିତ୍ସା ହୋଇପାରୁନଥିବାରୁ କେତେବେଳେ କ’ଣ ହେବ, ତାହା କହି ହେବନାହିଁ। ଅନ୍ୟପଟେ ୨୦୧୮ ମସିହାରେ ମଧ୍ୟପ୍ରଦେଶରୁ ଆସିଥିବା ଦୁଇଟି ବାଘ ମଧ୍ୟରୁ ଏବେ ମହାବଳ ‘ମହାବୀର’ର ବେକରେ ଘା ହେବା ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ବାଘୁଣୀ ‘ସୁନ୍ଦରୀ ଏନ୍କ୍ଲୋଜର’ରେ ବନ୍ଦୀ ହୋଇଛି।
‘ସୁନ୍ଦରୀ’କୁ ମଧ୍ୟପ୍ରଦେଶକୁ ଫେରାଇ ନେବା ପାଇଁ ଏନଟିସିଏର ନର୍ଦ୍ଦେଶ ରହିଛି। ଏନ୍ଟିସିଏ ଅସ୍ଥାୟୀ ଭାବେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ବନ୍ଦ ରଖିଛି। ପର୍ଯ୍ୟଟନ ସହିତ ସ୍ଥାନୀୟ ଅଂଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରଙ୍କ ପକ୍ଷରୁ ଠୋସ୍ ଉଦ୍ୟମ ହେଉନାହିଁ। ଏପେଟ ଅନୁଗୁଳ ଆର୍ସିସିଏଫ୍ ପ୍ରଦୀପରାଜ କରାଟ ଆଜି ଆଠମଲ୍ଲିକ, ଅନୁଗୁଳ, ସାତକୋଶିଆ ଓ ଢେଙ୍କାନାଳର ଡିଏଫ୍ଓ ଏବଂ ଏସିଏଫମାନଙ୍କ ବୈଠକ ନେଇ ‘କ୍ୟାେମରା ଟ୍ରାପ୍ ବ୍ୟବସ୍ଥା ସହିତ ଏନ୍ଟିସିଏ ଦ୍ବାରା ବିକଶିତ ଜଂଗଲରେ ପାଟ୍ରୋଲିଂ କରିବା ଆପ୍ ଉପରେ ଗୁରୁତ୍ବାରୋପ କରିଛନ୍ତି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଂଚଳରେ ପ୍ରାୟ ୧୪୦ କ୍ୟାମେରା ଲାଗିଥିବାବେଳେ ଅନୁଗଳ, ଆଠମଲ୍ଲିକ, ଢେଙ୍କାନାଳ ବନଖଣ୍ଡ ଅଂଚଳରେ ମଧ୍ୟ ଏଭଳି ପ୍ରାୟ ୩୫୦ କ୍ୟାମେରା ଲଗାଯିବାର ଯୋଜନା ରହିଛି। ପାଟ୍ରୋଲିଂ କରିବା ଆପ୍ର ବ୍ୟବହାର ସଂକ୍ରାନ୍ତରେ କ୍ଷେତ୍ର କର୍ମଚାରୀମାନଙ୍କୁ ଆଗାମୀ ଦିନରେ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇସାରିଥିବା ଜଣାପଡ଼ିଛି। ନିଜ ନିଜ ଡିଭିଜନ ଅଂଚଳରେ କେମିତି ପଇଁତରା ବ୍ୟବସ୍ଥା କଡ଼ାକଡ଼ି କରାଯିବ, ସେଦିଗରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଗୋଟିଏ ପଟେ ସାତକୋଶିଆ ବାଘଶୂନ୍ୟ ହେବାକୁ ଯାଉଥିବା ବେଳେ ଏଭଳି ସୁରକ୍ଷା ବ୍ୟବସ୍ଥା କ’ଣ ଏବେ ପରିବେଶିତଙ୍କ ମଧ୍ୟରେ ଆଲୋଚନା ହେଉଛି।
ଆରସିସିଏଫ୍ ପ୍ରଦୀପରାଜ କରାଟଙ୍କୁ ଏ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଲେ, ବ୍ୟାଘ୍ର ପ୍ରକଳ୍ପଗୁଡ଼ିକ ହେଉଥିବା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ନଭେମ୍ବର-ଡିସେମ୍ବର ମାସ ଆଡ଼କୁ କ୍ୟାମେରା ରେକର୍ଡ ହୋଇଥିବା ୪୫ ଦିନର ତଥ୍ୟ ଏନ୍ଟିସିଏକୁ ହସ୍ତାନ୍ତର କରାଯିବ। ବୁଢ଼ୀ ବାଘୁଣୀକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଯନ୍ତା ନିର୍ମାଣ କରାଯାଇଛି। ତେବେ ବୁଢ଼ୀ ବାଘୁଣୀର ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍ ରହିଛି ବୋଲି ସ୍ପଷ୍ଟ କରିଛନ୍ତି। ‘ସୁନ୍ଦରୀ’ କେବେ ଯିବ, ତାହା ମଧ୍ୟପ୍ରଦେଶ ସରକାରଙ୍କ ପତ୍ରକୁ ଅପେକ୍ଷା କରାଯାଇଛି। ଏହି ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସଂପର୍କରେ ପଚାରିବାରୁ ଏନ୍ଟିସିଏ ଏବେ ଅସ୍ଥାୟୀ ଭାବେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିଛନ୍ତି ବୋଲି ଶ୍ରୀ କରାଟ କହିଛନ୍ତି।