ଦାମନଯୋଡି ଓ କୋଲାବରେ ବାଘ ଆତଙ୍କ

କୋରାପୁଟ : ଦାମନଯୋଡିରେ ବାଘ ମାତିଛି। କୋଲାବ ଡ୍ୟାମ୍‌ ସାଇଟ୍‌ରେ ବି। ଏହା ପ୍ରଚାର ହୋଇଯିବା ପରେ ଆଜି ନାଲକୋ ନଗର ଓ କୋଲାବ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବାଘ ବୁଲୁଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଏପଟେ ବାଘକୁ ଧରିବା ପାଇଁ ଦାମନଯୋଡିରେ ଯନ୍ତା ବସାଇଛି ବନ ବିଭାଗ। କିନ୍ତୁ ମୁକୁଳା ପଡିଛି କୋଲାବ।

ଦାମନଯୋଡିର ନାଲକୋ ନଗର ଭିତରେ ଥିବା ସେକ୍ଟର-୩ ଶାବେରୀ ଲେକ ପାର୍କ ନିକଟରେ ବାଘ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି। ଏଥିନେଇ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଏକ ବାଘ ବୁଲୁଥିବା ସ୍ପଷ୍ଟ ଜଣାପଡିଛି। ଏପରିକି କିଛି ଦିନ ହେଲା ସ୍ଥାନୀୟ କିଛି ଲୋକ ବାଘ ଦେଖିଥିବା କହିଛନ୍ତି। ଏହା ଜଣାପଡିବା ପରେ ଦାମନଯୋଡିରେ ଆତଙ୍କ ଖେଳି ଯାଇଛି। ବାଘ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏପଟେ ବାଘ ମାତିବା ଖବର ପ୍ରଚାରିତ ହେବା ପରେ ବନ ବିଭାଗ ପକ୍ଷରୁ ଯନ୍ତା ବସାଯାଇଛି। ଗତକାଲି ରାତିରୁ ଏହି ଯନ୍ତା ବସିଥିଲେ ମଧ୍ୟ ବାଘ ଧରା ଦେଇନି। ଏପଟେ କୋଲାବ ଡ୍ୟାମ୍‌ ସାଇଟ ପାର୍କ ନିକଟରେ ବାଘ ବୁଲୁଥିବା ଆଲୋଚନା ହେଉଛି। ପାର୍କରେ ଥିବା କିଛି ଠେକୁଆ ହଜି ଗଲା ପରେ ଖୋଜାଖୋଜି କରିଥିଲେ ମଧ୍ୟ ମିଳି ନ ଥିଲା। ଏପଟେ ପାର୍କରେ ଲାଗିଥିବା ସିିସିଟିଭି କ୍ୟାମେରାରୁ ବାଘ ଥିବା ଜଣାପଡିଛି।

ନାଲକୋ ଓ କୋଲାବରେ ବାଘ ବୁଲୁଥିବା ନେଇ ପ୍ରଚାର ହୋଇଯିବା ପରେ ଆତଙ୍କ ଖେଳିଯାଇଛି। ଦୁଇଟି ଯାକ ସ୍ଥାନ ପର୍ଯ୍ୟଟନ କେନ୍ଦ୍ର ହୋଇଥିବାରୁ ପର୍ଯ୍ୟଟକମାନେ ମଧ୍ୟ ଶୁଣି ଛାନିଆ ହୋଇ ଯାଇଛନ୍ତି। ସନ୍ଧ୍ୟା ହେଉ ହେଉ ସ୍ଥାନୀୟ ଲୋକ ଘରୁ ବାହାରିବାକୁ ସାହସ କରି ପାରୁ ନାହାନ୍ତି। ଏପରିକି ଘରେ ବି ଭୟରେ ରହୁଛନ୍ତି। ସନ୍ଧ୍ୟାରେ ପିଲାଙ୍କୁ ଟ୍ୟୁସନ ଛାଡୁ ନାହାନ୍ତି। ତେବେ ଏମିତି ଖବରକୁ ଗୁରୁତ୍ୱ ନ ଦେବାକୁ ପରାମର୍ଶ ଦେଇଛି ବନ ବିଭାଗ। କୋରାପୁଟ ରେଂଜର ସୁବାସ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ, ନାଲକୋରେ ଯେଉଁ ବାଘ କଥା କୁହାଯାଉଛି ତାହା ହେଟା ବାଘ। କ୍ୟାମେରା ଓ ପାଦ ଚିହ୍ନରୁ ଏହା ସ୍ପଷ୍ଟ ହୋଇ ଯାଇଛି। ଏହି ହେଟା ବାଘକୁ ଧରିବା ପାଇଁ ଯନ୍ତା ବସାଯାଇଛି। ଏପଟେ କୋଲାବରେ ଯେଉଁ ବାଘ କଥା କୁହାଯାଉଛି ତାହା ବାଘ ନୁହେଁ। ଏହା ଏକ ବଣ ବିରାଡି। ଉଭୟ ଜୀବ ବିପଦ ଜନକ ନୁହଁନ୍ତି। ଏହି ଛୋଟ ଜଙ୍ଗଲରେ ଚିତା ବାଘ ରହିବ ନାହିଁ। ତେଣୁ ଲୋକମାନେ ଏଥିନେଇ ଅତ୍ୟଧିକ ଭୟଭୀତ ହେବା ଠିକ ନୁହେଁ ବୋଲି ରେଂଜର କହିଛନ୍ତି।

ସମ୍ବନ୍ଧିତ ଖବର