ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୁଟଘର ଗାଁରେ ବାଘ ମାତିଛି!

୨ବଳଦ ମୃତ, ୨ଗାଈ କ୍ଷତାକ୍ତ, ଆର୍ଦ୍ରଭୂମିରୁ ମିଳିଛି ପାଦଚିହ୍ନ, ବନ ବିଭାଗର ତଦନ୍ତ ଆରମ୍ଭ

ନବରଙ୍ଗପୁର : ରାତିରେ ଆସୁଛି। ଗୁହାଳରୁ ବଳଦଙ୍କୁ ଭିଡ଼ି ନେଉଛି। ସକାଳୁ ଖୋଜିବା ବେଳକୁ ଜଙ୍ଗଲରୁ ନିଖୋଜ ବଳଦଙ୍କ ହାଡ଼ ମିଳୁଛି। ଆଜି ସୁଦ୍ଧା ଦୁଇଟି ବଳଦଙ୍କ ହାଡ଼ ମିଳିଥିବା ବେଳେ ଗୋଟିଏ ବଦଳ ନିଖୋଜ ଅଛି। ପଞ୍ଝା ବାଜି ଦୁଇଟି ଗାଈ ମଧ୍ୟ କ୍ଷତାକ୍ତ ହୋଇଛନ୍ତି। କୌଣସି ଶିକାରୀ ପଶୁ ଏମିତି କାମ କରୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଦୁର୍ଗମ ପୁଟଘର ଗ୍ରାମବାସୀ। ଯଦିଓ ଏପର୍ଯ୍ୟନ୍ତ ଶିକାରୀ ପଶୁ ଚିହ୍ନଟ ହୋଇ ନାହିଁ ତଥାପି ଗ୍ରାମବାସୀଙ୍କ କହିବା ହେଲା ଗାଁରେ ବାଘ ମାତିଛି।

ପାହାଡ଼ ଉପରେ ତଥା ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୁଟଘର ଗାଁ। ଗୋଟିଏ ପାର୍ଶ୍ବରେ ଇନ୍ଦ୍ରାବତୀ ଡ୍ୟାମ ରହିଥିବା ବେଳେ ଅନ୍ୟ ଦୁଇ ପାର୍ଶ୍ବରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍‌ ଏବଂ କୋରାପୁଟ ଜିଲ୍ଲା ସୀମା ଲାଗି ରହିଛି। ମାତ୍ର ୬ଟି ପରିବାର ରହୁଥିବା ଏହି ଗାଁରେ ସମେସ୍ତ ଶ୍ରମିକ ଶ୍ରେଣୀର ଏବଂ ପଶୁ ପାଳନ କରିଥାନ୍ତି। ଗତ ଶୁକ୍ରବାର ସକାଳେ ଗାଁର ପୂର୍ଣ୍ଣଚନ୍ଦ୍ର ଗୌଡ଼ଙ୍କ ଗୁହାଳରୁ ଦୁଇଟି ବଳଦ ଏବଂ ମାଧବ ସାନ୍ତାଙ୍କ ଗୋଟିଏ ବଳଦ ନିଖୋଜ ଥିଲେ। ପୂର୍ବରୁ ଏମିତି କେବେ ହୋଇ ନଥିବା ବେଳେ ରାତିରେ ବଳଦ ତିନିଟି କୁଆଡ଼େ ଗଲେ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ବହୁ ସମୟ ଧରି ଖୋଜାଖୋଜି ପରେ ଘଞ୍ଚ ଜଙ୍ଗଲରେ ଦୁଇଟି ବଳଦଙ୍କ ଅବଶେଷ ମିଳିଥିଲା। ତୃତୀୟ ବଳଦର ପତ୍ତା ଆଦୌ ମିଳି ନଥିଲା। ଅନ୍ୟପଟେ ଗୁହାଳରେ ବନ୍ଧା ହୋଇଥିବା ଦୁଇଟି ଗାଈ ଗୁରୁତର ଆହତ ହୋଇଥିଲେ। ଏଭଳି ଅସ୍ବାଭାବିକ ଘଟଣା ଗ୍ରାମବାସୀଙ୍କୁ ବିଚଳିତ କରିବାରୁ ପୂରା ଜଙ୍ଗଲରେ ଶିକାରୀ ପଶୁକୁ ଖୋଜି ବୁଲିଥିଲେ। ଶେଷରେ ସେମାନେ ଯାହା ଦେଖିଲେ ଅଜଣା ଭୟରେ ଶିହିରି ଉଠିଲେ। ଜଙ୍ଗଲର ଆର୍ଦ୍ରଭୂମିରେ ବାଘର ତାଜା ପାଦଚିହ୍ନକୁ ସେମାନେ ସ୍ପଷ୍ଟ ରୂପେ ଦେଖିଥିଲେ।

ଶିକାର ସନ୍ଧାନରେ ଗାଁ ପର୍ଯ୍ୟନ୍ତ ବାଘ ଆସିଥିବାରୁ ବିଳମ୍ବ ନକରି ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ। ଜଣେ ବନରକ୍ଷୀ ଗାଁକୁ ଯାଇ ପାଦଚିହ୍ନର ଫଟୋ ଉଠାଇ ବନାଞ୍ଚଳ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। କ୍ଷତାକ୍ତ ଗାଈଙ୍କ ଫଟୋ ମଧ୍ୟ ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହାପରେ ବନ ବିଭାଗ ତଦନ୍ତ କରୁଥିବା ବେଳେ ଶିକାରୀ ପଶୁକୁ ଚିହ୍ନଟ କରିପାରି ନଥିବା ସୂଚନା ମିଳିଛି। ଏ ନେଇ ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ମନୋଜ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ପାଦଚିହ୍ନ‌ର ଫଟୋଗୁଡ଼ିକ ପରୀକ୍ଷା କରାଯାଉଛି। କ୍ଷତାକ୍ତ ଗାଈଙ୍କ ପରୀକ୍ଷା କରିବା ପରେ ପଶୁ ସଂପଦ ବିଭାଗ କିଭଳି କ୍ଷତ ହେଲା ସ୍ପଷ୍ଟ କରିବ ବୋଲି କହିଛନ୍ତି। ସେହିପରି ମିଳିଥିବା ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷକୁ ମଧ୍ୟ ପଶୁ ସଂପଦ ବିଭାଗ ପରୀକ୍ଷା କରିବା ପରେ ହିଁ ବାଘ ନା ଏବଂ ଅନ୍ୟ କୌଣସି ହିଂସ୍ର ପ୍ରାଣୀ ଜଣାପଡ଼ିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ନିବେଦନ କରିଛନ୍ତି। ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଗାଁରୁ ପଶୁ ସଂପଦ ଲୋକ ପାଇଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର