ହାରିଗଲା ଜଙ୍ଗଲ ରାଜା : ‘କାହ୍ନା’ ମହାବଳକୁ ମାରିଦେଲେ

ରେଡିଓ କୋଲାରରୁ ଜଣାପଡ଼ିଲା, ୫ମାସ ବି ରହିଲାନି, ବାଘ ବଂଶ ବୃଦ୍ଧି ଯୋଜନାକୁ ଧକ୍କା

ଅନୁଗୁଳ : ସାତକୋଶିଆକୁ ପଡ଼ିଛି ଶନିଦଶା। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କାଣ୍ଡ ଚର୍ଚ୍ଚା ନ ଥମୁଣୁ ‘କାହ୍ନା’ ବ୍ୟାଘ୍ର ପ୍ରକଳ୍ପରୁ ସାଢ଼େ ୪ମାସ ତଳେ ଆସିଥିବା ୩ ବର୍ଷୀୟ ଯୁବ ଅଣ୍ଡିରା ମହାବଳର ଆଜି ଅକାଳେ ଜୀବନ ଯାଇଛି। କୋର୍‌ ଏରିଆରେ ଅଣ୍ଡିରା ମହାବଳ ଘୂରି ବୁଲୁଥିବାବେଳେ ତା’ର ମୃତଦେହ ଆଜି ଠାବ ହୋଇଥିବା ବନ ବିଭାଗ ସୂତ୍ରରୁ ସ୍ପଷ୍ଟ ହୋଇଛି। ତାକୁ ମାରିଦିଆଯାଇଥିବା ସନ୍ଦେହ କରାଯାଉଛି।

ଗତ ଜୁନ୍ ୨୧ରେ ଓଡ଼ିଶା ସରକାର ‘କାହ୍ନା’ରୁ ଏହି ଅଣ୍ଡିରା ଯୁବ ମହାବଳକୁ ସାତକୋଶିଆକୁ ଆଣିଥିଲେ। ଉ‌େଦ୍ଦଶ୍ୟ ଥିଲା ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବା। ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କୋଲାର ଖଞ୍ଜା ଯାଇଥିଲା। ଆଉ ଏହି ରେଡିଓ କୋଲାର ହିଁ ଆଜି ମୃତ୍ୟୁର ସୂଚନା ଦେଇଥିଲା। ଅନେକ ସମୟରେ ରେଡିଓ କୋଲାର ବାଘର ହୃତ୍ ସ୍ପନ୍ଦନ ସୂଚନା ଦିଏ। ସ୍ବାସ୍ଥ୍ୟ ସମ୍ବନ୍ଧିତ ଜରୁରୀ ପାରାମିଟର ସମ୍ପର୍କରେ ମନିଟରିଂ କରୁଥିବା ଲୋକଙ୍କୁ ଅବଗତ କରାଇଥାଏ।

ସବୁଦିନ ପରି ଆଜି ମହାବଳ ରାଇଗୁଡ଼ା ରେଞ୍ଜ୍‌ର କୋର୍‌ ଏରିଆରେ ଘୂରି ବୁଲୁଥିବାବେଳେ ହଠାତ୍ ରେଡିଓ କୋଲାରରେ ବାଘର ଚଳନ ଠପ୍ ହୋଇଯାଇଥିଲା। ଦୀର୍ଘ ସମୟ ଧରି ବାଘ କେଉଁଆଡ଼େ ଚଳପ୍ରଚଳ ନ କରିବା ପରେ ବନ ବିଭାଗର ସନ୍ଦେହ ବଢ଼ିଥିଲା। ତନାଘନା ପରେ ବାଘର ସ୍ବାସ୍ଥ୍ୟ ସମ୍ପର୍କୀୟ ଜରୁରୀ ପାରାମିଟର ଖରାପ ଥିବା ଜଣାପଡ଼ିଥିଲା। ଘନ ଜଙ୍ଗଲରେ ଖୋଜୁଖୋଜୁ ବିଳମ୍ବିତ ରାତିରେ ମହାବଳର ମୃତଦେହକୁ ବନ ବିଭାଗ ଠାବ କରିଛି।

ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ବନ ବିଭାଗର ବରିଷ୍ଠ ଅଧିକାରୀମାନେ ତନାଘନା ଆରମ୍ଭ କରିଛନ୍ତି। ବାଘକୁ ଗୁଳି କରାଯାଇଛି ନା, ଅନ୍ୟ କାରଣ ରହିଛି ତାହା ଆସନ୍ତାକାଲି ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ମହାବଳର ମୃତ୍ୟୁ ଘଟଣା ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ଯୋଜନାକୁ ପୂରା ଅନ୍ଧାରକୁ ଠେଲି ଦେଇଥିବାବେଳେ ସାତକୋଶିଆ କର୍ତୃପକ୍ଷଙ୍କ ସାଙ୍ଘାତିକ ଅବହେଳା ଜଳଜଳ ଦିଶୁଛି। ‘ସୁନ୍ଦରୀ’କୁ ଠିକ୍‌ରେ ନିରୀକ୍ଷଣ କରାଯାଇ ପାରିଲାନାହିଁ ବୋଲି ଲଙ୍କାକାଣ୍ଡ ଏବଂ ଖଣ୍ଡଯୁଦ୍ଧର ସୂତ୍ରପାତ ହେଲା।

ଦେଖି ପାରିଲାନି ଛୁଆ ମୁହଁ

ମହାବଳ ବଂଶ ସୁରକ୍ଷା ପାଇଁ ଆସିଥିଲା ଅଣ୍ଡିରା ଯୁବ ମହାବଳ। ସାଥ୍‌ ଦେବାକୁ ସପ୍ତାହେ ପରେ ଆସିଥିଲା ବାନ୍ଧବୀ ‘ସୁନ୍ଦରୀ’। ମେଳ ଖାଇଲାନି। ସାତକୋଶିଆର ପୁରୁଣା ବାଘୁଣୀ ସାଥୀ ହେଲା। ଦୀର୍ଘ ଦିନ ତା ସହିତ ଯୁବ ମହାବଳ ମିଶିଛି। ବୁଢ଼ୀ ବାଘୁଣୀ ଜାନୁଆରି ସୁଦ୍ଧା ଛୁଆ ଜନ୍ମ ଦେଇଥାନ୍ତ। କିନ୍ତୁ ଏହା ଦେଖିବା ଯୁବରାଜର ଭାଗ୍ୟରେ ନାହିଁ।

ଏକା ହେଇଗଲା ବାଘୁଣୀ

ବାଘୁଣୀ ‘ସୁନ୍ଦରୀ’କୁ ଏନ୍‌କ୍ଲୋଜରରେ ରଖାଯିିବା ଏବଂ ମହାବଳ ମରିଯିବା ପରେ ସାତକୋଶିଆ ଜଂଗଲରେ ପୂର୍ବରୁ ଥିବା ବାଘୁୁଣୀ ପୁଣି ଏକୁଟିଆ ହୋଇଯାଇଛି। ସାତକୋଶିଆରେ ୬ଟି ମହାବଳ ଛାଡ଼ିବାକୁ ଯୋଜନା ରହିଥିଲା। ପ୍ରଥମେ ମହାବଳ ଓ ପରେ ‘ସୁନ୍ଦରୀ’ ଆସିଥିଲା ଆଉ ୪ଟି ମହାବଳ ଆସିଥାନ୍ତେ। ହେଲେ ଏସବୁ ପ୍ରସ୍ତାବ ଏବେ ସାମୟିକ ଭାବେ ସ୍ଥଗିତ ରହିଛି।

ଘଟଣାକ୍ରମ

କାହ୍ନାରୁୁ ବାହାରିଲା : ୨୦ ଜୁନ୍‌
ସାତକୋଶିଆରେ ପହଞ୍ଚିଲା: ୨୧ ଜୁନ୍‌
ସାଙ୍ଗ ହେଲା ସୁନ୍ଦରୀ: ୨୮ ଜୁନ୍
ଏନ୍‌କ୍ଲୋଜରରୁ ମୁକୁଳିଲା: ୬ ଜୁଲାଇ
ଅଞ୍ଚଳବାସୀଙ୍କ ମେଳି: ୧୮ ଜୁଲାଇ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହତ୍ୟା ଧମକ: ୧୮ ଜୁଲାଇ
ମୃତଦେହ ଠାବ: ୧୫ ନଭେମ୍ବର

ସମ୍ବନ୍ଧିତ ଖବର