ଶିମିଳିପାଳରୁ ବାଘୁଣୀର ମୃତଦେହ ଉଦ୍ଧାର, ଶିକାରୀଙ୍କ ଗୁଳିରେ ମୃତ୍ୟୁ ସନ୍ଦେହ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପୋଡ଼ାଡିହା ରେଞ୍ଜ ଡଙ୍ଗାଡ଼ିହା ବିଟ୍‌ରୁ ମିଳିଛି ଏକ କଲରାପତରିଆ ବାଘୁଣୀର ମୃତଦେହ। ଶିକାରୀ ଗୁଳିରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଥିବାବେଳେ ଆଭ୍ୟନ୍ତରୀଣ କ୍ଷତ ଯୋଗୁ ମୃତ୍ୟୁ ହୋଇଥିବା ବନବିଭାଗ କହିଛି।

ରବିବାର ବନ କର୍ମଚାରୀମାନେ ପାଟ୍ରୋଲିଂରେ ଯାଇଥିବା ବେଳେ ବାଘୁଣୀର ମୃତଦେହ ଠାବ କରିଥିଲେ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକଙ୍କୁ ଅବଗତ କରାଯିବା ପରେ ବାଘୁଣୀର ଶବ ବ୍ୟବଚ୍ଛେଦ କରାଯାଇଛି। ପାକସ୍ଥଳୀରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ସେପ୍ଟିସେମିଆ ହୋଇ ବାଘୁଣୀର ମୃତ୍ୟୁ ହୋଇଥିବା ବନବିଭାଗ ରିପୋର୍ଟରେ ଦର୍ଶାଇଛି। ସେପଟେ ଶିକାରୀଙ୍କ ଗୁଳିରେ ବାଘୁଣୀର ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ଉପକ୍ଷେତ୍ର ନିର୍ଦ୍ଦେଶକ ଜେଡି ପତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଯୁଗ ଜୟାନନ୍ଦଙ୍କ ପ୍ରତିକ୍ରିୟା ବି ମିଳିପାରିନି। ଶିକାରୀଙ୍କ ଗୁଳିରେ ବାଘୁଣୀ ପ୍ରାଣ ହରାଇବା ଅଭିଯୋଗ ଉଠିବା ଓ ଏହି ଗମ୍ଭୀର ଘଟଣାରେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ମୁହଁ ନଖୋ‌ଲିବାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବେଶବିତ୍‌ ଓ ପଶୁପ୍ରେମୀ।

ସମ୍ବନ୍ଧିତ ଖବର