ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଦେଭୋଗ ବନାଞ୍ଚଳ ସୀମା ଉଦନ୍ତୀ ଅଭୟାରଣ୍ୟରେ ଦୁଇଟି ମହାବଳ ବାଘ ଶିକାର କରାଯାଇଥିବା ଚର୍ଚ୍ଚା ହେଉଛି। ଶିକାରୀମାନେ ଦୁଇ ବାଘଙ୍କୁ ମାରିବା ପରେ ଚମଡ଼ା, ନଖ, ଦାନ୍ତ ଓ ଅନ୍ୟ ମୂଲ୍ୟବାନ ଅଙ୍ଗପ୍ରତ୍ୟଙ୍ଗ ନେଇ ଯାଇଥିବା ଆଲୋଚନା ହେଉଛି।
ସୀମାନ୍ତବର୍ତ୍ତୀ ସୀତା ନଦୀ କନକଦୁର୍ଗା ମନ୍ଦିର ନିକଟରେ ହତ୍ୟାର ଶିକାର ବାଘଦ୍ବୟର କିଛି ଅଙ୍ଗପ୍ରତ୍ୟଙ୍ଗ ପଡ଼ିଥିବା ଖବର ବ୍ୟାପିଥିଲା। ଏହାପରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଖୋଲତାଡ଼ କରୁଥିବା ଜଣାପଡ଼ିଛି। ଘଟଣା ଘଟିବାର ଦୁଇ କିମ୍ବା ତିନି ଦିନ ହୋଇଥିବା ଅନୁମାନ କରାଯାଉଛି। ରବିବାର ଖଡ଼ିଆଳ ଡିଏଫଓଙ୍କ ସମେତ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତା ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଛତିଶଗଡ଼ ରାଜ୍ୟ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ତଦନ୍ତ କରି ଫେରିଛନ୍ତି। ଘଟଣାଟି ଉଭୟ ରାଜ୍ୟର ସୀମାରେ ଘଟିଥିବାରୁ ଉଭୟ ରାଜ୍ୟର ଅଧିକାରୀମାନେ କେଉଁ ରାଜ୍ୟର ପରିସରରେ ଘଟିଛି ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ହେଲେ ଏହା ଛତିଶଗଡ଼ ରାଜ୍ୟ କର୍ଲାଝର ମଣ୍ତଳ ଅନ୍ତର୍ଗତ ସୀତା ନଦୀ ନିକଟ ବ୍ୟାଘ୍ର ଅଭୟାରଣ୍ୟରେ ଘଟିଥିବା ଓଡ଼ିଶା ବନ ବିଭାଗ ପକ୍ଷରୁ କୁହାଯାଉଛି।
ଏ ସଂକ୍ରାନ୍ତରେ ସିନାପାଲି ବନ ବିଭାଗର ରେଞ୍ଜର ମୁରାରୀ ପ୍ରସାଦଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବା ଅନୁସାରେ, ଘଟଣାର ଅନୁସନ୍ଧାନ ଜାରି ରହିଛି। ଘଟଣାଟି ଓଡ଼ିଶା ସୀମାନ୍ତରେ ଛତିଶଗଡ଼ ରାଜ୍ୟ ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ଅନ୍ତଃରାଜ୍ୟ ବ୍ୟାଘ୍ର ଶିକାରୀମାନେ ଏହି କାଣ୍ତ ଘଟାଇ ଥାଇପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/tiger.jpg)