ଅଭୟାରଣ୍ୟରେ ମହାବଳ ଶିକାର ଘଟଣା: ବାଘ କାହାର? ଦୁଇ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ

ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର ଅଭିଯୋଗରେ ଉଭୟ ରାଜ୍ୟର ବନ ବିଭାଗ ୫ ଶିକାରୀଙ୍କୁ ଗିରଫ କରିଛନ୍ତି। ତେବେ ଉକ୍ତ ବାଘଟି କାହାର ତାକୁ ନେଇ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଛତିଶଗଡ଼ ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦେଶକ ମୃତ ମହାବଳ ବାଘଟି ଓଡ଼ିଶା ସୁନାବେଡ଼ା ଅଭୟାରଣ୍ୟ ପାଟଦରା ଅଞ୍ଚଳର ବୋଲି କହୁଥିବା ବେଳେ ଖଡ଼ିଆଳ ଡିଏଫ୍‌ଓ ବାଘଟି ଛତିଶଗଡ଼ ରାଜ୍ୟର ବୋଲି କହୁଛନ୍ତି।

ତେବେ ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦେଶକ ବରୁଣ ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡୁପାଣି ଗ୍ରାମରେ ବାଘଛାଲ ଥିବା ଖବର ପାଇ ଗତ ୩ ତାରିଖ ଖଡ଼ିଆଳ ବନ୍ୟଜନ୍ତୁ ବିଭାଗ ସହ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଖଡୁପାଣି ଗ୍ରାମରୁ ଜଣେ ବ୍ୟକ୍ତିଙ୍କୁ କାବୁ କରିବା ସହ ତାଙ୍କଠାରୁ ବାଘଛାଲ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ହେଲେ ବାଘଟି କେମିତି ମରିଛି ଜଣାପଡ଼ି ନାହିଁ। ବାଘକୁ ବିଷ ଦିଆଯାଇଛି କି ସ୍ବାଭାବିକ ମୃତ୍ୟୁ ହୋଇଛି ତାହାର ତଦନ୍ତ ଜାରି ରହିଛି। ବାଘଟି ସୁନାବେଡ଼ା ଅଭୟାରଣ୍ୟ ପାଟଦରା ଜଙ୍ଗଲର ବୋଲି କହିଛନ୍ତି।

ହେଲେ ଖଡ଼ିଆଳ ଡିଏଫ୍‌ଓ ସୁଶୀଳ ତ୍ରିପାଠୀ ବାଘଟି ଛତିଶଗଡ଼ ଉଦନ୍ତୀ- ସୀତାନଦୀ ଅଭୟାରଣ୍ୟର ବୋଲି କହୁଥିବାରୁ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତେବେ ବାଘ ମୃତ୍ୟୁ ନେଇ କେନ୍ଦ୍ର ସରକାରଙ୍କୁ ​ରିପୋର୍ଟ ଦେବା ଭୟରେ ଉଭୟ ରାଜ୍ୟ ସରକାର ବାଘଟି ଆମର ନୁହେଁ ବୋଲି କହୁଥିବା ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର