ଶିମିଳିପାଳରେ ବଢୁଛି ବାଘ ଶିକାର: ବାଘ ବଂଶ ଲୋପ ପାଇଲେ ଚେତିବେ କି?

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ଅବାଧ ବାଘ ଶିକାର ବଢ଼ିଚାଲିଛି। ଖାଦ୍ୟରେ ବିଷ ଦେଇ ହେଉ କିମ୍ବା ଗୁଳି କରି, ବାଘ ଶିକାର କରୁଛନ୍ତି ଜଙ୍ଗଲ ମାଫିଆ। ବାଘର ନଖ ଓ ଚମଡ଼ାକୁ ଚଢ଼ା ଦରରେ ବାହାରକୁ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବାଘ ଶିକାର ରୋକି ପାରୁନଥିବା ବନବିଭାଗ, ବାଘ ଚମଡ଼ା ବିକ୍ରି ପାଇଁ ହେଉଥିବା ଡିଲ୍ ବାବଦରେ ବି ଖବର ପାଉନି। ବନ ବିଭାଗର କାମ କରୁଛି ଜିଲ୍ଲା ପୁଲିସ। ଗତ ୨ ସପ୍ତାହ ମଧ୍ୟରେ ଦୁଇଟି ସ୍ଥାନରେ ପୁଲିସ ଚଢଉ କରି ଦୁଇଟି କଲରା ପତରିଆ ବାଘଛାଲ ଜବତ କରିବରା ସହ ୧୧ ଜଣଙ୍କୁ ଗିରଫ କରିଛି। ସେହିପରି ଦେଢ ମାସ ପୂର୍ବେ ବାରିପଦା- ଉଦଳା ରାସ୍ତାରୁ ଶିକାରୀଙ୍କୁ ମାଡ଼ି ବସିବା ସହ ଏକ ମହାବଳ ବାଘ ଚମଡ଼ା ଜବତ କରିଥିଲା ଏଟିଏଫ୍। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏସବୁ ଘଟଣାରେ ପୁଲିସ ଓ ଏସ୍‌ଟିଏଫ୍‌ର ଚଢ଼ଉ ପରେ ପଛରେ ପହଞ୍ଚିଛି ବନବିଭାଗ। ଅଭିଯୁକ୍ତଙ୍କୁ ପୁଲିସ ହେପାଜତରୁ ଆଣି ପଚାରଉଚରା କରିଛି ସତ ସେମିତି ବିଶେଷ କିଛି ସଫଳତା ପାଇନି।

ବନ ବିଭାଗର ଦୁର୍ବଳ ନେଟୱାର୍କର ଫାଇଦା ଉଠାଉଛନ୍ତି ମାଫିଆ। ବିଭାଗୀୟ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିମିଳିପାଳର କୋର୍‌ ଏରିଆରେ ବାଘ ଶିକାର କରୁଛନ୍ତି। କୁହାଯାଉଛି ବନ ବିଭାଗ ନିଜ ସୂତ୍ରଧରମାନଙ୍କୁ ବିଶେଷ ଗୁରୁତ୍ବ ‌ଦେଉନି। କେବେ କେମିତି କାହା ସୂଚନା ଭୁଲ୍‌ ପ୍ରମାଣିତ ହେଲେ ‌ସୂଚନାଦାତାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଯେଉଁଥି ପାଇଁ ବନ ବିଭାଗକୁ କୌଣସି ସୂଚନା ଦେବାକୁ ସେମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଉପରିସ୍ଥ ଅଧିକାରୀମାନେ ଏ ଦିଗକୁ ସମ୍ପୁର୍ଣ୍ଣ ଅଣଦେଖା କରୁଛନ୍ତି। ଗତକାଲି ଝାରପୋଖରିଆ ଥାନା ଅନ୍ତର୍ଗତ ଏକ ଢାବା‌ରୁ ପୁଲିସ ଟିମ୍‌ ବାଘ ଚମଡ଼ା ଜବତ କରିବା ଘଟଣାର ଏହାର ପ୍ରମାଣ ଦେଉଛି। ଥାନା ଅଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ, ସବ୍‌ଇନ୍ସପେକ୍ଟର ଅଜିତ କୁମାର ସାହୁଙ୍କ ନେତୃତ୍ବାଧୀନ ଟିମ୍ ୩ ଜଣ ଶିକାରୀଙ୍କ ସମେତ ମୋଟ୍‌ ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ପାଖରୁ ପୁଲିସ ୭ଟି ମୋବାଇଲ ଓ ୨ଟି ବାଇକ ମଧ୍ୟ ଜବତ ହୋଇଛି। ପୂର୍ବଥର ପରି ଏଥର ବି ବନ ବିଭାଗ ପୁଲିସ ପାଖରୁ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ଜେରା କରୁଛି। ତେବେ ବନ ବିଭାଗ ସେମାନଙ୍କ ପାଖରୁ ଅଧିକ ତଥ୍ୟ ଓଗାଳି ପାରୁଛି କି ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର