ବେତାରସିଂରେ ବାଘ ମାତିଛି

୧୦ ଦିନରେ ଖାଇଲାଣି ତିନିଟି ଛେଳି

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁୁଗୁଡ଼ା ସହର ନିକଟ ବେତାରସିଂ ଗ୍ରାମରେ ଏବେ ବାଘ ଆତଙ୍କ ଲାଗିଛି। ୧୦ ଦିନ ମଧ୍ୟରେ ବାଘ ତିନିଟି ଛେଳିକୁ ମାରି ସାରିଥିବାରୁ ଛେଳି କୁଆଁରକୁ ଲୋକେ ପାଳି କରି ଜଗୁଛନ୍ତି। ବାଘ ଭୟରେ ଲୋକେ ଜାଳେଣି କାଠ ସଂଗ୍ରହ କରିବାକୁ ପାଖ ଜଙ୍ଗଲକୁ ମଧ୍ୟ ଯାଉନାହାନ୍ତି। ଦେଖିବା ଲୋକେ ଏହା ଏକ କଲରାପତରିଆ ବୋଲି କହୁଛନ୍ତି।

ଗତ ଶୁକ୍ରବାର ଦିନ ଗ୍ରାମର ରଘୁନାଥ ଗୌଡ଼, ମଙ୍ଗୁଳୁ ଗୌଡ଼ ଓ ନରୀ ସେଠୀ ଗ୍ରାମ ପାର୍ଶ୍ୱ କାଣ୍ଡେଇ ପାହାଡ଼ ନିକଟ ଜଙ୍ଗଲକୁ ଗାଈ ଓ ଛେଳି ଚରାଇବାକୁ ନେଇଥିଲେ। ସେତିକି ବେଳେ ବୁଦା ପାଖରେ ଛକିଥିବା ବାଘଟି ଗୋଠରୁ ଗୋଟିଏ ଛେଳିକୁ ଉଠାଇ ପଳାଇଥିଲା। ଅନ୍ୟ ଗାଈ ଓ ଛେଳି ଭୟରେ ରଡ଼ି ଛାଡ଼ି ଦୌଡ଼ିବାରୁ ଠେଙ୍ଗାବାଡ଼ି ଧରି ଲୋକେ ସେଠାରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବାଘ ପଳାଇଥିଲା। ମୃତ ଛେଳିକୁ ବୁଦା ମୂଳରୁ ଉଦ୍ଧାର କରା ଯାଇଥିଲା।

ଏ ନେଇ ବନବିଭାଗକୁ ଗ୍ରାମବାସୀ ସୂଚନା ଦେଇଥିଲେ। ହେଲେ ବାଘ ଆତଙ୍କ ଥମି ନାହିଁ। ସୁକୁଟା ଗୌଡ଼ ଏବଂ ଆଦିପୁର ଗ୍ରାମ ସନ୍ତୋଷ ଗୌଡ଼ଙ୍କ ଦୁଇଟି ଛେଳିକୁ ବାଘ ଖାଇଯାଇଛି। ସେହିପରି ବାଘଟିକୁ ଭାଲୁମୁଣ୍ଡିଆ କେନାଲ ନିକଟରେ ଦେଖିଥିବା ନେଇ ଗ୍ରାମର ଭଦ୍ରି ପ୍ରଧାନ କହିଥିବା ବେଳେ ପଞ୍ଚୁ ଗୌଡ଼ ବ୍ରାହ୍ମଣଘାଇ ନିକଟରେ ବାଘଟିକୁ ଦେଖିଥିବା କହିଛନ୍ତି। ବନବିଭାଗ ଏହା ହେଟା ଅଥବା କଲରାପତରିଆ ହୋଇ ଥାଇପାରେ ବୋଲି ଅନୁମାନ କରୁଛି। କିନ୍ତୁ ପାଦ ଚିହ୍ନ ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ କହିଛନ୍ତି। ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଥିବା ବେଳେ ତୁରନ୍ତ ଏ ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର