ଖୋର୍ଦ୍ଧା ବନଖଣ୍ତ ଅଧୀନ ବୋଲଗଡ଼ ବ୍ରାହ୍ମଣୀଦେବୀ ଜଙ୍ଗଲରେ ବାଘ

ବୋଲଗଡ଼ : ଖୋର୍ଦ୍ଧା ବନଖଣ୍ତ ଅଧୀନ ବୋଲଗଡ଼ ବନା‌ଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ ଦେଖାଦେଇଛି। ବ୍ରାହ୍ମଣୀଦେବୀ ସଂରକ୍ଷିତ ଜଙ୍ଗଲ ବା ପାଟବନ୍ଧ ମୁଣ୍ତିଆପଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘ ଦେଖା ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗତ ୩ ଦିନ ମଧ୍ୟରେ ଏହି ବାଘ ଆକ୍ରମଣରେ ୭ଟି ଛେଳି ଓ ୨ଟି ଗାଈ ମରିଥିବା ନେଇ ଫରେଷ୍ଟର୍‌ଙ୍କ ନିକଟରେ ଅଭିଯୋଗ ହୋଇଛି। ବୋଲଗଡ଼ଠାରୁ ୪ କିମି ଦୂର ଖଙ୍ଗୁରିଆ ପଞ୍ଚାୟତର ହରିପୁର ଆଦିବାସୀ ସାହିର ଋଷିଆ ନାୟକଙ୍କ ୩ଟି ଛେଳି, କାଳିଆ ନାୟକଙ୍କ ୪ଟି ଛେଳି, ଭିକାରୀ ନାୟକଙ୍କ ଗୋଟିଏ ଗାଈ ଓ ବଂଶୀଧର ନାୟକଙ୍କ ଗୋଟିଏ ବାଛୁରିକୁ ଏହି ବାଘ ମାରି ଖାଇଥିବା ଗ୍ରାମବାସୀ କହିଛନ୍ତି। ବ୍ରାହ୍ମଣୀଦେବୀ ଜଙ୍ଗଲ ସଂଲଗ୍ନ ହରିପୁର ଆଦିବାସୀ ଗ୍ରାମର ୪୦ରୁ ଅଧିକ ପରିବାର ଏହି ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। କିନ୍ତୁ ବାଘ ଭୟ ଯୋଗୁଁ ୪ ଦିନ ଧରି ଜଙ୍ଗଲକୁ କାଠ ସଂଗ୍ରହ କିମ୍ବା ଗୋରୁ ଚରାଇବା ପାଇଁ ଲୋକେ ଯାଇ ନାହାନ୍ତି। ଏ ସଂକ୍ରାନ୍ତରେ ବନପାଳ ପ୍ରଦୀପ ପଟ୍ଟନାୟକଙ୍କୁ ପଚାରିବାରରେ ଏହି ଜଙ୍ଗଲରେ କଲରାପତରିଆ ବାଘଥିବା ସେ ସ୍ବୀକାର କରିଥିଲେ। ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ମଧ୍ୟ ଏଠାରେ ବାଘ ଆତଙ୍କ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର