ଦଶପଲ୍ଲା ବୁଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ : ଗ୍ରାମବାସୀଙ୍କ ମଧ୍ୟରେ କୋକୁଆଭୟ, ବନ ବିଭାଗର ତନାଘନା

ଦଶପଲ୍ଲା : ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା ପୂର୍ବ ଓ ପଶ୍ଚିମ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଏବେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଏକ ବାଘ ରଥିପୁର, ଚିଲିପଥର, ଗୋପାଳପୁର, ଘୁଷୁରି ଗାଡ଼ିଆ, ଝିଂଟିକାବାରୀ ଓ ବୁଗୁଡ଼ା ପ୍ରଭୃତି ଅଂଚଳରେ ଘୁରି ବୁଲିବା ସହ ଗର୍ଜନ କରୁଥିବା ନେଇ ଅଂଚଳବାସୀ ପ୍ରକାଶ କରିଛନ୍ତି। ଏପରିକି ଏସବୁ ଅଂଚଳ ନିକଟସ୍ଥ ଜଙ୍ଗଲରେ ବାଘଟି ପଇଁତରା ମାରୁଥିବା ବେଳେ ଗତକାଲି ଭୋର୍‌ ସମୟରେ କିଛି ବ୍ୟକ୍ତି ଏହି ବାଘକୁ ଦେଖିଥିବା ମଧ୍ୟ ପ୍ରକାଶ କରିଛନ୍ତି। ବାଘ ଗର୍ଜନ ଶୁଣି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମାତ୍ର ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ବନ କର୍ମଚାରୀମାନେ ଏହା ଉପରେ ନଜର ରଖିଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ଅଂଚଳବାସୀଙ୍କ କହିବା ଅନୁଯାୟୀ ବାଘଟି ଆଘାତ ପାଇ ଏଭଳି ଗର୍ଜନ କରୁଥିବା ବେଳେ ଏହାକୁ କେହି ଗୁଳିମାଡ଼ କରିଥିବା ନେଇ ଅନୁମାନ କରାଯାଉଥିବା ପ୍ରକାଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ବାଘଟି କିଛି ଅଘଟଣ ଘଟାଇବାର ଆଶଙ୍କା ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। କିନ୍ତୁ ଏ ସମ୍ପର୍କରେ ବାଣିଗୋଛା ପଶ୍ଚିମ ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ କହିବା ଅନୁଯାୟୀ ଗ୍ରାମବାସୀଙ୍କଠାରୁ ଖବର ପାଇ ବିଭିନ୍ନ କର୍ମଚାରୀ ଏହା ଉପରେ ନଜର ରଖିଛନ୍ତି। ଜଙ୍ଗଲ ମଧ୍ୟରେ ବାଘଟି ଗର୍ଜନ କରୁଥିବା ବେଳେ ଗ୍ରାମବାସୀ ଭୟଭୀତ ହେଉଥିବା ସେ କହିଛନ୍ତି। ମାତ୍ର ଏହା ଏକ ଚିତା ବାଘ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାର କୌଣସି ସନ୍ଧାନ ଏ ପର୍ଯ୍ୟନ୍ତ ମିଳିପାରିନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର