ସମ୍ବଲପୁର: ଡେବ୍ରିଗଡରେ ନେଚର୍‌ କ୍ୟାମ୍ପ ନିକଟରେ ଶନିବାର ପୁଣିଥରେ ବାଘକୁ ଦେଖିବାକୁ ମିଳିଛି। ମହାବଳକୁ ଅତି ନିକଟରୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ଫଟୋ ଉଠାଇଥିଲେ। ବାଘର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ତା ଉପରେ ୨୪ ଘଣ୍ଟା ନଜର ରଖା ଯାଉଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।

Advertisment

ଅନ୍ୟପଟେ ବାଘର ସୁରକ୍ଷାକୁ ଦୃଷ୍ଟିରେ ରଖି ଡେବ୍ରିଗଡ ଅଭୟାରଣ୍ୟର ସମସ୍ତ ପାରିପାର୍ଶ୍ୱିକ ଗ୍ରାମରେ ବାଘ ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଛି। ଯେଉଁ ମହିଳାମାନେ ଅଗ୍ନି, ବାଉଁଶ, ପାଣି ଇତ୍ୟାଦି ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ, ସିନେମା ସମୟରେ ସେମାନଙ୍କ ଉପସ୍ଥାନ ଶତପ୍ରତିଶତ ଦେଖିବାକୁ ମିଳୁଛି। ବାଘ ମଣିଷଙ୍କ ପାଇଁ କ୍ଷତିକାରକ ନୁହେଁ ଏବଂ ବାଘ ସଂରକ୍ଷଣ ପାଇଁ ଯୁବ ପିଢିକୁ ଉତ୍ସାହିତ କରିବା ହେଉଛି ଏହି ସିନେମାର ମୁଖ୍ୟ ଉଦ୍ଦେଶ୍ୟ। ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇବା ସହ ବନ୍ୟଜନ୍ତୁ ବନ୍ଧୁତ୍ୱପୂର୍ଣ୍ଣ ପାଇଁ ଚାରିପାଖରେ ଥିବା ୪୮ଟି ଗାଁକୁ ନେଇ ‘ଡେବ୍ରିଗଡ ୪୮’ଗଠନ କରାଯାଇଛି। ବନ୍ୟପ୍ରାଣୀ ମାରିବାକୁ ଫାଶ କିମ୍ବା ବିଦ୍ୟୁତ୍‌ ତାର ବିଛାଉଥିବା ଶିକାରୀଙ୍କ ବିଷୟରେ ସୂଚନା ଦେଲେ ବନଖଣ୍ଡ ପକ୍ଷରୁ ୧୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।