ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ରେଞ୍ଜ ଅନ୍ତର୍ଗତ ଲୋଡ଼ରା ଗ୍ରାମରେ ଗତରାତିରେ ବାଘ ଆତଙ୍କ ଦେଖାଦେଇଛି। ବାଘଟି ଏକ ଜଙ୍ଗଲୀ ବାର୍ହାକୁ ମାରି ଛାଡ଼ି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ସୂଚନାନୁସାରେ ଗତକାଲି ରାତିରେ ଲୋଡ଼ରା ଜଙ୍ଗଲରେ ଏକ କଳରାପତରିଆ ବାଘ ଜଙ୍ଗଲୀ ବାର୍ହାକୁ ମାରି ଗ୍ରାମ ନିକଟରେ ଛାଡ଼ି ଚାଲିଯାଇଥିଲେ। ଭୋର୍ରୁ ଗ୍ରାମବାସୀ ବାର୍ହାଟି ମରି ପଡ଼ିଥିବା ବେଳେ ବାଘ ଖାଇଥିବା ଜାଣି ବାର୍ହାକୁ ପୋଡ଼ି ଦେଇଥିଲେ। ଏ ବିଷୟରେ ନୂଆପଡ଼ା ବନବିଭାଗ ପକ୍ଷରେ କୌଣସି ଖବର ନାହିଁ।
ଏହି ଘଟଣା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସଂଧ୍ୟା ହେଲେ ଲୋକେ ଘରୁ ବାହାରୁନାହାନ୍ତି। ଏହା ଉପରେ ନୂଆପଡ଼ା ବନବିଭାଗ ଗୁରୁତ୍ବ ଦେବା ସହ ଲୋକଙ୍କ ସଚେତନ କରି ବାଘର ଗତିବିଧି ଉପରେ ନଜର ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ବିଷୟରେ ଫରେଷ୍ଟର ଦୀପ୍ତିମାନ ପଣ୍ଡାଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ଆମ ପାଖକୁ କୌଣସି ଖବର ଆସିନାହିଁ। ଆପଣଙ୍କଠାରୁ ଶୁଣିବାକୁ ପାଇଲି। ଏନେଇ ଗ୍ରାମବାସୀଙ୍କୁ ପଚାରି ବୁଝୁଛି ବୋଲି କହିଥିଲେ।