ଓଡ଼ଗାଁ: ନୟାଗଡ଼ ଜିଲ୍ଲାରେ ମହାବଳ ବାଘର ଉପସ୍ଥିତି ନେଇ ସୂଚନା ମିଳିବା ପରେ ଲୋକଙ୍କ ଭିତରେ ଛନକା ପଶିଛି। କେତେବେଳେ ଗଞ୍ଜାମ ସୀମାନ୍ତରେ ତ ଆଉ କେତେବେଳେ ନୟାଗଡ଼ର ବିଭିନ୍ନ ଜଙ୍ଗଲ ମଧ୍ୟରେ ଆତଯାତ ହେଉଛି। ପାଦଚିହ୍ନ ଓ ହେଣ୍ଟାଳ ରଡ଼ିରୁ ଏହା ଏକ ମହାବଳ ବାଘ ବୋଲି ଆଦିବାସୀ ଲୋକେ କହିଛନ୍ତି। ଏବେ ଓଡ଼ଗାଁ ବନାଞ୍ଚଳର ଗୋଛା, ଗୟଳସିଂହ ଓ ପଞ୍ଚୁପାଣ୍ତବ ଜଙ୍ଗଲରେ ମହାବଳ ଥିବା ଅନୁମାନ କରାଯାଉଛି। ‌ସୂଚନା ଅନୁଯାୟୀ, କିଛି ଦିନ ତଳେ ବାଘର ପାଦଚିହ୍ନ ଦେଖି ଲୋକେ ଛାନିଆ ହୋଇ ଯାଇଥିଲେ। କେହି କେହି ଏହାକୁ କଲରାପତରିଆ ବାଘ ବୋଲି କହୁଛନ୍ତି। ଜଙ୍ଗଲ ଅଧିବାସୀଙ୍କ କହିବା ମୁତାବକ, ଗଞ୍ଜାମ ସୀମାନ୍ତରୁ ବାଘ ଚାଲିଆସି ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଓଡ଼ଗାଁ ଜଙ୍ଗଲ ମଧ୍ୟରେ ବୁଲୁଛି। ଅନ୍ଧାର ରାତିରେ ଶିକାର କରିବାବେଳେ ବାଘର ଗର୍ଜନ କୋଶେ ବାଟକୁ ଶୁଭୁଥିବା ବନବାସୀ କହୁଛନ୍ତି। ଗଞ୍ଜାମ ସୀମାନ୍ତରୁ ମହାବଳ ଚାଲି ଆସିଥିବା ବେଳେ ଆଦିବାସୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ରାତି ପାହିଲେ ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିଲା ବେଳେ ବାଘ ଆତଙ୍କରେ ଆଉ ଜଙ୍ଗଲ ମାଡ଼ୁନାହାନ୍ତି।

Advertisment

ଜଙ୍ଗଲ ଦେଇ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଆଦିବାସୀ ଛାତ୍ରଛାତ୍ରୀ ପ୍ରତିଦିନ ଯିବାଆସିବା କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ବାଘକୁ ନେଇ ଆଦିବାସୀ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ସନ୍ଧ୍ୟା ହେଲେ ଲୋକେ ପଦାକୁ ବାହାରୁନାହାନ୍ତି। ଏମିତିକି ଗାଈଗୋରୁ, ଛେଳି, ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁପକ୍ଷୀଙ୍କୁ ଜଙ୍ଗଲରେ ଚରିବାକୁ ଛାଡ଼ୁନାହାନ୍ତି। ଓଡ଼ଗାଁକୁ ଚାରିପଟୁ ପାହାଡ଼ ଘେରି ରହିଥିବାରୁ ବନ କର୍ମଚାରୀ ଜଙ୍ଗଲ ଭିତରେ ପଇଁତରା ମାରୁଛନ୍ତି। ଜଙ୍ଗଲରେ ବାଘ ବୁଲୁଥିବା ଜାଣିବା ପରେ ବନ ବିଭାଗ ପ୍ରତିଦିନ ପାଟ୍ରୋଲିଂ କରି ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖୁଥିବା ସୂଚନା ମିଳିଛି। ବନଖଣ୍ତ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ କହିବା ଅନୁଯାୟୀ ଲୋକେ ଏଥିପ୍ରତି ଭୟଭୀତ ହେବାର କିଛି ନାହିଁ। ଦୁଇଦିନ ହେଲା ବାଘ ନୟାଗଡ଼ ଜିଲ୍ଲା ଛାଡ଼ି ଚାଲିଯାଇଛି।