ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ରେବଣା ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ। ଗୋଟିଏ ପୋଷା ମଇଁଷିକୁ ମାରି ଦେଇ ତାର ମୁଣ୍ଡ ଖାଇଦେଇଥିବା ବେଳେ ଦୁଇଟି ମଇଁଷି ବାଘ ଆକ୍ରମଣରେ ଆହତ ହୋଇଛନ୍ତି। ଏଭଳି ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
ବଡ଼ପଳାଶପାଳ ପଞ୍ଚାୟତ ବାଉଁରୁ ଗ୍ରାମରୁ ୫ କିଲୋମିଟର ଏବଂ ରେବଣାପଳାଶପାଳ ପଞ୍ଚାୟତ ବୁଢ଼ୀପଦା ଗ୍ରାମରୁ ୫ କିଲୋମିଟର ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏଭଳି ଘଟଣା ଘଟିଛି। ପ୍ରାୟ ତିନି ଦିନ ତଳେ ମହାବଳ ବାଘ ମଇଁଷିକୁ ମାରି ଖାଇଛି। ରାଣୀପଦା ଗ୍ରାମର ଘାସିନାଥ ଦେହୁରୀଙ୍କ ୧୨ ଟି ମଇଁଷି ରେବଣା ସଂରକ୍ଷିତ ଜଙ୍ଗଲର ହାତୀଖୁଣ୍ଟି ମଇଁଷି ଗୋଠରେ ରହୁଥିଲେ। ଜଙ୍ଗଲରେ ଚରିବା ପାଇଁ ମଇଁଷିକୁ ଛାଡ଼ି ଦିଅନ୍ତି। ମାତ୍ର ତିନି ଦିନ ପୂର୍ବରୁ ଜଙ୍ଗଲରେ ମଇଁଷି ଦେଖିଲା ବେଳେ ଗୋଟିଏ ମଇଁଷିର ମୁଣ୍ଡକୁ ବାଘ ଖାଇ ଦେଇଛି। ଅନ୍ୟ ଦୁଇଟି ମଇଁଷି ଆହତ ହୋଇଛନ୍ତି।
ଖବର ପାଇ ଆଜି ଗରଗଡ଼ବାହାଳ ବନରକ୍ଷୀ ବାବାଜି ସାହୁ, ରେବଣାପଳାସପାଳ ବନରକ୍ଷୀ ଅଜୟ ସେଠୀ ଏବଂ ବନ ସୁରକ୍ଷା ବାହିନୀ ରେବଣା ସରଂକ୍ଷିତ ଜଙ୍ଗଲର ହାତୀଖୁଣ୍ଟି ଅଞ୍ଚଳକୁ ଯାଇ ସରଜମିନ ତଦନ୍ତ କରିଥିଲେ। ଜଙ୍ଗଲରେ ଯେଉଁ ପାଦଚିହ୍ନ ଦେଖିଥିଲେ ତାହା ଏକ ମହାବଳ ବାଘର ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ବାଘଟିର ବୟସ ୭ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଜଙ୍ଗଲ ବିଭାଗ ପାଦଚିହ୍ନର ଫଟୋ ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ବାଘ ପାଇଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ସେପଟେ ବାଘର ପାଦ ଚିହ୍ନ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ମୃତ ମଇଁଷିଟି ପଡ଼ି ପଚିଗଲାଣି। ଏହି ଘଟଣା ପରେ ବନ ବିଭାଗ ଅଧିକ ସଜାଗ ହୋଇପଡ଼ିଛି।