ବନ୍ତଳା/ନରସିଂହପୁର : ଖୋଲାମେଲାରେ ବାଘୁଣୀ ବୁଲୁଛି। ଆଜି ଅପରାହ୍ଣରେ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ କଟରଙ୍ଗା ଗାଁ ପ୍ରାଥମିକ ବିଦ୍ୟାଳୟ ନିକଟରେ ବାଘୁଣୀ ଏକ ଛେଳିକୁ ଆକ୍ରମଣ କରିଥିବା ବେଳେ ବିଟ୍ ହାଉସର ଜଣେ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା କୁହାଯାଉଛି। ଏହି ଖବର ପ୍ରଚାରିତ ହେବା ପରେ ଅଂଚଳବ୍ୟାପୀ ଛନକା ଖେଳିଯାଇଛି। ବାଘ ଭୟରେ ଲୋକମାନେ ଠେଙ୍ଗାବାଡ଼ି ଧରି ଗାଁ-ଗାଁରେ ଜଗି ରହିଛନ୍ତିି। ଏଥିସହ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍ଥାନୀୟ ବିଟ୍ ହାଉସ୍କୁ ଘେରାଉ କରିବା ସହ ୩ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମବାସୀଙ୍କ କହିବାନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ କଟରଙ୍ଗା ଗାଁ ପ୍ରାଥମିକ ବିଦ୍ୟାଳୟ ନିକଟରେ ଗାଁର ଦେବରାଜ ନାଏକଙ୍କ ସମେତ ଆଉ ଦୁଇ ଜଣ ଛେଳି ଚରାଉଥିବା ବେଳେ ଏକ ବାଘୁଣୀ ସେଠାରେ ପହଂଚି ଗୋଟିଏ ଛେଳିକୁ ଆକ୍ରମଣ କରିଥିଲା। ଛେଳି ବେକରେ ବନ୍ଧା ହୋଇଥିବା ଘଣ୍ଟି ବାଜିବାରୁ ବାଘୁଣୀ ଛେଳିଟିକୁ ଛାଡ଼ି ଦେଇଥିଲା। ଖବର ପାଇ ଗ୍ରାମବାସୀ କଟରଙ୍ଗ ବିଟ୍ ହାଉସରେ ପହଞ୍ଚି ପ୍ରବଳ ପାଟିତୁଣ୍ଡ କରିଥିଲେ। ସେମାନେ ବିଟ୍ ହାଉସ୍ର କର୍ମଚାରୀଙ୍କୁ ଧରି ବାଘୁଣୀକୁ ଗୋଡ଼ାଇଥିଲେ। କିଛି ଦୂରରେ ବାଘୁଣୀଟି ଆଗରେ ଯାଉଥିବା ବିଟ୍ ହାଉସ୍ କର୍ମଚାରୀ ସୁରେଶ ବାରିକ (୩୦)ଙ୍କୁ ଆକ୍ରମଣ କରିବାରୁ ସେ କୁଆଡ଼େ ଆହତ ହୋଇଥିଲେ। ତାଙ୍କୁ ବନ ବିଭାଗର କର୍ମଚାରୀ ତୁରନ୍ତ ଚିକିତ୍ସା ଲାଗି ବାହାରକୁ ପଠାଇ ଦେଇଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଆଖପାଖର ଗାଁ ଗୁଡ଼ିକରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ପ୍ରକାଶଯୋଗ୍ୟ, ମଧ୍ୟପ୍ରଦେଶର କାହ୍ନା ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଗତ ଜୁନ୍ ୨୧ତାରିଖରେ ଗୋଟିଏ ବାଘ ଓ ବାନ୍ଧବଗଡ଼ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଜୁନ୍ ୨୮ତାରିଖରେ ଗୋଟିଏ ବାଘୁଣୀ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା। ଏନକ୍ଲୋଜରରେ ରହିବା ପରେ ଗତ ଜୁଲାଇ ୬ତାରିଖରେ ବାଘ ଓ ଅଗଷ୍ଟ ୧୭ତାରିଖରେ ବାଘୁଣୀକୁ ମୁକ୍ତ କରାଯାଇଥିଲା। ତେବେ ସାତକୋଶିଆ ଜଙ୍ଗଲରେ ଏହି ବାଘବାଘୁଣୀଙ୍କୁ ଛଡ଼ାଯିବା ପରେ ନିଜ ଧନଜୀବନର ସୁରକ୍ଷା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଅଂଚଳର ୧୨୬ଟି ଗାଁର ଲୋକମାନେ ଏହାର ପ୍ରତିବାଦରେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି।
ତେବେ, ଆଜିର ବାଘୁଣୀ ଆକ୍ରମଣ ଘଟଣା ସଂପର୍କରେ ଡିଏଫଓ ସୟିଦ୍ ରହେମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ଏକ ଗୁଜବ ଏବଂ ଏହାକୁ କେହି ବିଶ୍ୱାସ ନକରିବାକୁ ସେ କହିଛନ୍ତି।